ଅଣ୍ଡର-19 ୱର୍ଲ୍ଡ କପ୍ 2026 ‘ଟିମ୍ ଅଫ୍ ଦ ଟୁର୍ନାମେଣ୍ଟ’ ଘୋଷଣା କଲା ଆଇସିସି, 3 ଭାରତୀୟ ସାମିଲ

ନୂଆଦିଲ୍ଲୀ: ଆଇସିସି (ICC) ଅଣ୍ଡର-19 କ୍ରିକେଟ୍ ୱର୍ଲ୍ଡ କପ୍ 2026 ପାଇଁ ‘ଟିମ୍ ଅଫ୍ ଦ ଟୁର୍ନାମେଣ୍ଟ’ ଘୋଷଣା କରିଛି। ଏହି 12 ସଦସ୍ୟ ବିଶିଷ୍ଟ ଦଳରେ ଭାରତର ତିନିଜଣ ଖେଳାଳି, ବିସ୍ଫୋରକ ଓପନର ବୈଭବ ସୂର୍ଯ୍ୟବଂଶୀ, କନିଷ୍କ ଚୌହାନ ଏବଂ ହେନିଲ ପଟେଲଙ୍କୁ ସାମିଲ କରାଯାଇଛି। ମାତ୍ର 14 ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀ ଫାଇନାଲ୍‌ରେ ଇଂଲଣ୍ଡ ବିରୋଧରେ ଅବିଶ୍ୱସନୀୟ ପ୍ରଦର୍ଶନ କରି ଭାରତକୁ 100 ରନର ବଡ଼ ଜୟ ଦେଇଥିଲେ। 80 ବଲରେ 175 ରନର ଧମାକେଦାର ପାଳି ଖେଳିବା ସହ 15 ଛକା ଓ 15 ଚଉକା ମାରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ। ସମଗ୍ର ଟୁର୍ନାମେଣ୍ଟରେ ବୈଭବ 7ଟି ମ୍ୟାଚ୍‌ରେ 439 ରନ ସଂଗ୍ରହ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଅନ୍ତର୍ଭୁକ୍ତ ଥିଲା।

ଭାରତର କନିଷ୍କ ଚୌହାନ ବ୍ୟାଟ୍ ଓ ବଲ୍ ଦୁହିଁଦିଗରୁ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବାବେଳେ, ହେନିଲ ପଟେଲ ଆମେରିକା ବିରୋଧରେ 5 ୱିକେଟ୍ ସହ ସମଗ୍ର ଟୁର୍ନାମେଣ୍ଟରେ 11 ୱିକେଟ୍ ନେଇଥିଲେ। ଉପବିଜେତା ଇଂଲଣ୍ଡର ତିନିଜଣ ଖେଳାଳି ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି। ଥୋମାସ୍ ରେଭ୍‌କୁ ଦଳର କପ୍ଟେନ ଏବଂ ୱିକେଟକୀପର ଭାବେ ଚୟନ କରାଯାଇଛି। ସେ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିରୋଧରେ ଶତକ ହାସଲ କରିଥିଲେ ଏବଂ ସମଗ୍ର ୱର୍ଲ୍ଡ କପ୍‌ରେ 330 ରନ କରିଥିଲେ।

ସର୍ବାଧିକ ରନ ସଂଗ୍ରହକାରୀ ବେନ୍ ମେୟସ୍ (444 ରନ) ଓ ସର୍ବାଧିକ ୱିକେଟ୍ ନେଇଥିବା ମାନି ଲମ୍ସଡେନ୍ (16 ୱିକେଟ୍) ମଧ୍ୟ ଇଂଲଣ୍ଡ ପକ୍ଷରୁ ଦଳରେ ଅଛନ୍ତି। ଶ୍ରୀଲଙ୍କାର ବିରାନ୍ ଚାମୁଦିଥା, ଯିଏ ଜାପାନ ବିରୋଧରେ 192 ରନର ଐତିହାସିକ ପାଳି ଖେଳିଥିଲେ, ସେଉଁଥିରେ ମଧ୍ୟ ସ୍ଥାନ ପାଇଛନ୍ତି।ଆଫଗାନିସ୍ତାନର ଫୈସଲ୍ ଖାନ୍ ଶିନୋଜାଦା ଓ ନୁରିସ୍ତାନୀ ଉମରଜଇ, ପାକିସ୍ତାନର ଅଲି ରଜା ଏବଂ ୱେଷ୍ଟଇଣ୍ଡିଜର ବାମହସ୍ତୀ ସ୍ପିନର ଭିଟେଲ୍ ଲାଭେସ୍ ମଧ୍ୟ ‘ଟିମ୍ ଅଫ୍ ଦ ଟୁର୍ନାମେଣ୍ଟ’ରେ ସ୍ଥାନ ପାଇଛନ୍ତି।