କଟକ: ଜାତୀୟ ପ୍ରତୀକର ଅପବ୍ୟବହାର ଓ ତ୍ରୁଟିପୂର୍ଣ୍ଣ ବ୍ୟବହାର ରୋକିବା ପାଇଁ ହାଇକୋର୍ଟ କଡା ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ସମ୍ପର୍କରେ ଦାଖଲ ହୋଇଥିବା ଜନହିତ ମାମଲା (PIL) ଉପରେ ଶୁଣାଣି କରି ହାଇକୋର୍ଟ ଏକ ଶୃଙ୍ଖଳାବଦ୍ଧ ନିର୍ଦ୍ଦେଶ ଦେଇଛନ୍ତି।ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ଜାତୀୟ ପ୍ରତୀକର ଅପବ୍ୟବହାର ରୋକିବା ଓ ନିରୀକ୍ଷଣ ପାଇଁ ୫ଟି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ଜାତୀୟ ପ୍ରତୀକ ବ୍ୟବହାର ସମ୍ପର୍କିତ ଅଭିଯୋଗ ଗୁଡ଼ିକର ନିରୀକ୍ଷଣ ଓ ସମାଧାନ କରିବ।

ସେହିପରି ଜାତୀୟ ପ୍ରତୀକର ଅପବ୍ୟବହାର ସମ୍ପର୍କିତ ଅଭିଯୋଗ ଦାଖଲ ପାଇଁ ଏକ ସ୍ୱତନ୍ତ୍ର ଅନଲାଇନ୍ ପୋର୍ଟାଲ ଖୋଲିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ମିଳିଲେ ସେଥିରେ ଉଲ୍ଲେଖ ହୋଇଥିବା ତ୍ରୁଟିକୁ ୬ ସପ୍ତାହ ମଧ୍ୟରେ ସୁଧାରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତ୍ରୁଟି ସଂଶୋଧନ ନ କରିଲେ ସଂପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାତୀୟ ପ୍ରତୀକର ମର୍ଯ୍ୟାଦା ଓ ଗରିମା ରକ୍ଷା ପାଇଁ ଏହି ନିର୍ଦ୍ଦେଶକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।