ନୂଆଦିଲ୍ଲୀ: କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଖଣିଜ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଏକ ବଡ଼ ଘୋଷଣା କରିଛନ୍ତି। ଦେଶର ଖଣିଜ ସମ୍ପଦର ସଦୁପଯୋଗ କରିବା ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ଲକ୍ଷ୍ୟରେ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ସ୍ୱତନ୍ତ୍ର ‘ରେୟାର ଆର୍ଥ କରିଡର’ ପ୍ରତିଷ୍ଠା କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୫ ନଭେମ୍ବରରେ ଆରମ୍ଭ ହୋଇଥିବା ‘ରେୟାର ଆର୍ଥ ପରମାନେଣ୍ଟ ମ୍ୟାଗ୍ନେଟ୍’ ଯୋଜନାକୁ ଏହି ନୂତନ କରିଡର ଆହୁରି ସୁଦୃଢ଼ କରିବ। ଏହା ଦ୍ୱାରା ଇଲେକ୍ଟ୍ରୋନିକ୍ସ, EV, ଡିଫେନ୍ସ ଓ ଗ୍ରିନ୍ ଏନର୍ଜି କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବାରେ ସାହାଯ୍ୟ ମିଳିବ।
ବଜେଟରେ ଓଡ଼ିଶାକୁ ଗୁରୁତ୍ୱ
କେନ୍ଦ୍ରୀୟ ବଜେଟ ୨୦୨୬-୨୭ରେ ଓଡ଼ିଶା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଜାତୀୟ ଜଳମାର୍ଗ-୫ (NW-5) ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିବାରୁ ଓଡ଼ିଶାର ଲଜିଷ୍ଟିକ୍ସ ଓ ଶିଳ୍ପ ବିକାଶକୁ ବଡ଼ ଗତି ମିଳିବ। ଏହି ଘୋଷଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ ଜଣାଇଛନ୍ତି। ସେ ତାଙ୍କ X (ପୂର୍ବତନ Twitter) ପୋଷ୍ଟରେ କହିଛନ୍ତି ଯେ NW-5 ପରିବେଶ-ସମ୍ମତ କାର୍ଗୋ ପରିବହନକୁ ପ୍ରୋତ୍ସାହନ ଦେବାରେ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହେବ।
ଖଣିଜ ଅଞ୍ଚଳରୁ ବନ୍ଦର ପର୍ଯ୍ୟନ୍ତ ସିଧା ସଂଯୋଗ
NW-5 ଦ୍ୱାରା ତାଳଚେର ଓ ଅନୁଗୋଳ ଭଳି ଖଣିଜ-ସମୃଦ୍ଧ ଅଞ୍ଚଳ ସହ କଳିଙ୍ଗ ନଗର ଭଳି ଶିଳ୍ପ କେନ୍ଦ୍ର ସଂଯୋଗ ହେବ। ଏହି ଜଳମାର୍ଗ ପାରାଦୀପ ଓ ଧାମରା ବନ୍ଦର ସହିତ ଯୋଡ଼ାଯିବାରୁ ମାଳ ପରିବହନ ସହଜ ଓ କମ୍ ଖର୍ଚ୍ଚରେ ସମ୍ଭବ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଦ୍ୱାରା ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି, ଶିଳ୍ପ ନିବେଶ ଓ ରୋଜଗାର ସୃଷ୍ଟି ହେବ, ଯାହା ଓଡ଼ିଶାର ଆର୍ଥିକ ବିକାଶକୁ ନୂଆ ଦିଗ ଦେବ।