ପୁରୀ: ପୁରୀ ବାଲିସାହି ଶ୍ୱେତଗଙ୍ଗା ଠାରେ ପିଣ୍ଡ ଦାନ କରିବେ ରାଷ୍ଟ୍ରପତି । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଫେବ୍ରୁଆରୀ ୪ ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ପିଣ୍ଡଦାନ କରିବେ । ପିଣ୍ଡ ଦାନ ପରେ ୭ଟା ୪୦ରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବେ । ସିଂହଦ୍ୱାର ଠାରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା ସ୍ବାଗତ କରିବେ । ଗର୍ଭଗୃହ ଭିତରକୁ ଯାଇ ରାଷ୍ଟ୍ରପତି ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ସେଦିନ ସକାଳ ୪ଟା ସୁଦ୍ଧା ଜୟ ବିଜୟ ଦ୍ୱାର ଫିଟା ନୀତି କରାଯିବ । ସୁରକ୍ଷା ଦୃଷ୍ଟି କୋଣରୁ ସକାଳ ୬ଟା ସୁଦ୍ଧା ଶ୍ରୀମନ୍ଦିର ଶୋଧ କରାଯିବ । କୌଣସି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ନାହିଁ । ସକାଳ ୮ଟା ୨୦ ସୁଦ୍ଧା ଦର୍ଶନ ସାରି ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଫେରିବେ ।
ଆସନ୍ତା ୩ ତାରିଖ ଅର୍ଥାତ୍ ମଙ୍ଗଳବାର ପୁରୀ ଗସ୍ତରେ ଆସିବେ ମହାମହିମ। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ରାଷ୍ଟ୍ରପତି ପଞ୍ଚତୀର୍ଥ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ପିଣ୍ଡଦାନ କରିବାର କାର୍ୟ୍ୟକ୍ରମ ରହିଛି । ଫେବ୍ରୁଆରୀ ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ପରିବାର ସହ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ରାଷ୍ଟ୍ରପତି ପ୍ରଥମେ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାକୁ ଯିବେ । ସେଠାରେ ସେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିବେ । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ରାଜରତନ ମହାପାତ୍ର କହିଛନ୍ତି, ପରମ୍ପରା ଅନୁଯାୟୀ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ବସ୍ତ୍ର, ଶୁଖିଲି ମହାପ୍ରସାଦ ଉପହାର ସ୍ୱରୂପ ଦିଆଯିବ ।