ଶୀତରୁ ନିସ୍ତାର ନାହିଁ; ଶୀତ ଲହରି ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ଶୀତ ଲହରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ । କାଲି ପର୍ଯ୍ୟନ୍ତ ୬ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ । ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି କଟକ, ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ନାହିଁ, ପାଗ ଶୁଖିଲା ରହିବ ।

ସେପଟେ ଭୁବନେଶ୍ବରରେ ରେକର୍ଡ ଭାଙ୍ଗିଲା ସର୍ବନିମ୍ନ ତାପମାତ୍ରା । ୨୨ ବର୍ଷ ପରେ ରାଜଧାନୀର ତାପମାତ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଶେଷ ଥର ପାଇଁ ୨୦୦୪ ମସିହାରେ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଥିଲା । ଏହା ସହିତ ଗତ ରାତିରେ ଜାନୁଆରୀ ମାସରେ ତୃତୀୟ ସର୍ବନିମ୍ନ ରାତ୍ରି ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା । ଗତ ରାତିରେ ୨୨ ବର୍ଷର ରେକର୍ଡ ତାପମାତ୍ରା ଭାଙ୍ଗିବା ପରେ ଆଜିଠାରୁ ତାପମାତ୍ରା ବଢିବା ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ଟ୍ବିଟ କରି ସୂଚନା ଦେଇଛନ୍ତି । ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଏକ ଗଭୀର ଅବପାତର ବାହ୍ୟବଳୟରେ ଉପର ବାଦଲ ଵୃଦ୍ଧି ଦେଖିବାକୁ ମିଳିଛି । ଯାହାଫଳରେ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ହେବ । ଆଜି ରାତିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି ।