ମିଜୋରାମ: ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଳଙ୍କ ପରଲୋକ। ଆଜି ଦିଲ୍ଲୀରେ ତାଙ୍କର ୭୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପତ୍ନୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅଗଷ୍ଟ ୨୦୧୯ରେ ଦେହାନ୍ତ ହୋଇଥିଲା। ସେମାନଙ୍କ ଝିଅ ବନସୁରୀ ସ୍ୱରାଜ ଭାରତୀୟ ଜନତା ପାର୍ଟିର ଜଣେ ନେତ୍ରୀ ଏବଂ ନୂଆଦିଲ୍ଲୀ ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ।

୧୨ ଜୁଲାଇ, ୧୯୫୨ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସ୍ୱରାଜ ଜଣେ ଜଣାଶୁଣା ଓକିଲ ଥିଲେ। ସେ ୧୯୯୦ ରୁ ୧୯୯୩ ପର୍ଯ୍ୟନ୍ତ ମିଜୋରାମର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ପଢା ଶେଷ କରିଥିଲେ । ୩୪ ବର୍ଷ ବୟସରେ ସେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଭାବେ ନାମିତ ହୋଇଥିଲେ । ଏହାପରେ ୩୭ ବର୍ଷ ବୟସରେ ସେ ମିଜୋରାମର ତୃତୀୟ ରାଜ୍ୟପାଳ ହୋଇଥିଲେ । ଏହା ବ୍ୟତୀତ ସେ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ । ସେ ୧୯୯୮-୯୯ ଏବଂ ୨୦୦୦-୨୦୨୪ ମଧ୍ୟରେ ରାଜ୍ୟସଭା ସାଂସଦ ଥିଲେ । ୧୯୭୫ରେ ସ୍ୱରାଜ କୌଶଲଙ୍କ ବିବାହ ସୁଷମା ସ୍ୱରାଜଙ୍କ ସହ ହୋଇଥିଲା । ସୁଷମା ସ୍ୱରାଜ ବିଜେପିର ଶୀର୍ଷ ନେତାଙ୍କ ମଧ୍ୟରେ ଥିଲେ । ପ୍ରଥମ ମୋଦୀ ସରକାରରେ ସେ ବିଦେଶ ମନ୍ତ୍ରୀ ଥିଲେ । ୨୦୧୯ରେ ସୁଷମା ସ୍ୱରାଜଙ୍କ ପରଲୋକ ହୋଇଥିଲା ।