ଯାତ୍ରୀବାହୀ ବସ୍ ଚଢ଼ି ୫ଟି ବାଇକ୍ ସମ୍ପୂର୍ଣ୍ଣ ଚୁରମାର

ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜ୍ୟ ରାଜପଥରେ ଆଜି ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ଚାନ୍ଦବାଲି କାଳୀ ମନ୍ଦିର ନିକଟ ରାସ୍ତା କଡ଼ରେ ରଖା ଯାଇଥିବା ବାଇକ୍ ଉପରେ ଏକ ଯାତ୍ରୀବାହୀ ବସ୍ ଚଢ଼ି ଯାଇଛି । ଦୁର୍ଘଟଣାରେ ୫ଟି ବାଇକ୍ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ କହି ମୃତାହତ କିମ୍ବା ଆହତ ହୋଇନଥିବା ସୂଚନା ମିଳିଛି  ।

ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ‘ଓମ୍ ବାବା’ ନାମକ ଘରୋଇ ବସ୍ ଚାନ୍ଦବାଲି କାଳୀ ମନ୍ଦିର ନିକଟ ରାସ୍ତା କଡ଼ରେ ରଖାଯାଇଥିବା ବାଇକ୍ ଉପରେ ସିଧା ଚଢ଼ି ଯାଇଥିଲା । ଦ୍ରୁତ ଗତିରେ ଆସୁଥିବା ବସ୍ ଟି ରାସ୍ତା କଡ଼ରେ ଠିଆ ହୋଇଥିବା ୫ଟି ବାଇକ୍ ଉପରେ ଚଢ଼ି ସେଗୁଡିକୁ ଭାଙ୍ଗି ଚୁନା କରି ଦେଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା ।ଦୁର୍ଘଟଣା ସମ୍ପର୍କରେ ବସ୍ ହେଲପରଙ୍କୁ ପଚାରିବାରୁ ସେ କହିଛନ୍ତି, ବସ୍ ଟି କଣ୍ଡକ୍ଟର ଚଳାଉଥିଲେ ଏବଂ ହଠାତ୍ ବ୍ରେକ୍ ଫେଲ୍ ହୋଇଯିବାରୁ ଏଭଳି ଦୁର୍ଘଟଣା ଘଟିଲା । ଖବର ପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବସ୍ କୁ ଜବତ କରିଛି ।