ଭୁବନେଶ୍ଵର: ଚଳିତ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଘୋଷଣା କରିଥିଲେ ସରକାର । ହେଲେ ଓଡ଼ିଶାର ବିକାଶ ପାଇଁ ଏତିକି ଅର୍ଥ ଯଥେଷ୍ଟ ହେଲାନି । ରାଜ୍ୟର ବିକାଶକୁ ତ୍ବରିତ ବେଗରେ ଆଗକୁ ନେବାକୁ ଅତିରିକ୍ତ ବଜେଟ୍ ଆଣିଛନ୍ତି ମୋହନ ସରକାର। ଏଥିରେ ପ୍ରତି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଅତିରିକ୍ତ ବଜେଟ୍ରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ପ୍ରାଥମିକ ଓ ଉଚ୍ଚଶିକ୍ଷାର ବିକାଶ ପାଇଁ ୨,୩୨୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ବଜେଟ୍ ମାଧ୍ୟମରେ ରାଜ୍ୟର ଶିକ୍ଷା ବିଭାଗ ଅଧିକ ଅଗ୍ରସର ହୋଇପାରିବ ବୋଲି ଆଶା କରାଯାଉଛି। ଏହି ଅତିରିକ୍ତ ବଜେଟ୍ରେ ଶିକ୍ଷା ପରେ କୃଷି ଏବଂ କୃଷକଙ୍କୁ ଦ୍ବିତୀୟ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ରାଜ୍ୟର ଚାଷୀମାନଙ୍କ ପାଇଁ ସରକାର ଅତିରିକ୍ତ ବଜେଟ୍ରେ ୧୬,୭୩ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ସେହିପରି ମହିଳା ଏବଂ ଶିଶୁ ବିକାଶ ବିଭାଗ ପାଇଁ ଅତିରିକ୍ତ ବଜେଟ୍ରେ ୧,୫୫୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଅତିରିକ୍ତ ବଜେଟ୍ରେ ଶିଳ୍ପ ଓ MSME ପାଇଁ ୩୩୭ କୋଟି ଟଙ୍କା, ମମତା ଯୋଜନା ପାଇଁ ୧୪୧ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ- ୪୪୦ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୧୭୧ କୋଟି, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି, ପ୍ରଶାସନିକ ଖର୍ଚ୍ଚ ପାଇଁ ୩, ୩୮୯ କୋଟି ଟଙ୍କା, ସାମାଜିକ ସେବା ପାଇଁ ୫, ୯୪୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ବାସ୍ଥ୍ଯ ବିଭାଗ ପାଇଁ ୧୧୬୪ କୋଟି ଟଙ୍କା, ପଞ୍ଚାୟତିରାଜ ବିଭାଗ ପାଇଁ ୬୧୬ କୋଟି ଟଙ୍କା, ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପାଇଁ ୩୬୩ କୋଟି ଟଙ୍କା, ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଟଙ୍କା, ନନ୍ଦନକାନନର ବିକାଶ ପାଇଁ ୮୦ କୋଟି ଟଙ୍କା, ପରିବେଶ, ପର୍ଯ୍ୟଟନର ବିକାଶ ପାଇଁ ୮୦ କୋଟି, ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ପାଇଁ ୨୫ କୋଟି ଓ ସହରୀ ବିକାଶ ପାଇଁ ୩୦୩ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।