ଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଭୋରରୁ ଦ୍ୱାରଫିଟା ପରେ ନୀତିକାନ୍ତି ବଢିବା ସହ ସୁରୁଖୁରୁରେ ସର୍ବସାଧାରଣ ଦର୍ଶନ ଚାଲିଛି । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି । ମହାପ୍ରଭୁ ପ୍ରତିବର୍ଷ ୫ଥର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ସୁନାବେଶ ହେଉଛି ଐଶ୍ୱର୍ଯ୍ୟର ବେଶ । ହରିଡ଼ା ମାଳି, ବାହାଡା ମାଳି, ଶ୍ରୀପୟର, ଶ୍ରୀଭୁଜ, କିରିଟ, କୁଣ୍ଡଳ, ଘାଗଡା ମାଳି, ବାଘ ନଖ ମାଳି, ଆଦି ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ମହାପ୍ରଭୁଙ୍କ ଦୁର୍ଲଭ ଦର୍ଶନ କରି କୃତାର୍ଥ ହେଉଛନ୍ତି ଭକ୍ତ ।

puri x

ଶ୍ରୀଜୀଉଙ୍କର ଏହି ବେଶ ଦର୍ଶନ କଲେ ଅଶେଷ ପୂର୍ଣ୍ଣ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ଆଜି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି । ଜନସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ରହିଛି । କେବଳ ସିଂହଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଥିବା ବେଳେ ତିନି ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ୪୦ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।