ଛଟମାୟୀଙ୍କ ପୂଜା ଅନୁଷ୍ଠିତ

ଅନୁଗୋଳ : ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ନିକଟରେ ଥିବା ନାରଣ ସାଗର କୂଳରେ ଛଟମାୟୀ ପୂଜା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ବିହାର, ଝାଡ଼ଖଣ୍ଡ,ୟୁପି ଅଞ୍ଚଳର ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଚଉରା ଗଛ ମୂଳେ ଷଠି ଦେବୀଙ୍କ ପୂଜା କରିବା ସହ ଅସୁଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ। ବିଶ୍ବାସ କରାଯାଏ ଷଠି ଦେବୀ ଓ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ବାରା ପରିବାରର କଲ୍ୟାଣ ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଚଳିତ ବର୍ଷ ପ୍ରାୟ ୧୦ ହଜାର ଭକ୍ତଙ୍କ ସମାବେଶ ଏଠାରେ ଦେଖିବାକୁ ମିଳିଥିଲା । ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ଏହା ସହ ଅଗ୍ନିଶମ ବିଭାଗ ମଧ୍ୟ ଏଠାରେ ସଜାଗ ରହିଥିଲା  । ସନ୍ଧ୍ୟାରେ ମଗଧ ଯୁବ ବିକାଶ ସମିତି ପକ୍ଷରୁ ଏହି ଛଟମାୟୀ ଙ୍କ ପୂଜା ଆୟୋଜନ ହୋଇଥ‌ିବା ବେଳେ ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,ପୂର୍ବତନ ତାମଡ଼ା ଅଧ୍ଯକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ପ୍ରଦୀପ ଦେବତା ପ୍ରମୁଖ ସାଗର କୂଳକୁ ଯାଇ ଦୀପ ଲଗାଇ ଥିଲେ। ମଗଧ ଯୁବ ବିକାଶ ସମିତି ସଭାପତି ଙ୍କ ସହ ସମସ୍ତ ସଦଶ୍ୟ ଉପସ୍ଥିତ ରହି ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।