ଭୁବନେଶ୍ଵର: ପଛକୁ ପଛ ଆସୁଛି ୩ଟି ଲଘୁଚାପ । ଗୋଟିଏ ଲଘୁଚାପ ଏବେ ସୃଷ୍ଟି ହୋଇଛି । ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ବଙ୍ଗୋପସାଗରରେ ଘନୀଭୂତ ହେଉଛି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବ । ୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଅବପାତ ହେବାର ସମ୍ଭାବନା ।

ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ତାମିଲନାଡୁ, ପଣ୍ଡିଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇବା ସହ ଅଧିକ ଘନୀଭୂତ ହୋଇପାରେ। କିନ୍ତୁ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିବନି। ଆସନ୍ତା ୨୬ତାରିଖ ଯାଏ ରାଜ୍ୟରେ ବର୍ଷା ହେବ। ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ। ୨୫ ଓ ୨୬ ତାରିଖରେ କିଛି ସ୍ଥାନରେ ଭାରି ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ୨୨ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି କୁହାଯାଇଛି।