ଦନ୍ତା ନେଲା ଜୀବନ… ଶୌଚରୁ ଫେରିବା ସମୟରେ ଦଳି ଦେଲା ଜଙ୍ଗଲୀ ହାତୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ପ୍ରାଣ ହରାଇଛନ୍ତି। ମୃତକଙ୍କ ଜଣକ ବାଲିମି ଗାଁର ଖଜୁରିଆକଟାର ନରୋତ୍ତମ ବେହେରା ବୋଲି ଚିହ୍ନଟ କରାଯାଇଛି । ତାଙ୍କ ବୟସ ପ୍ରାୟ ୫୬ ବର୍ଷ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଭୋର ସମୟରେ ଦୁଇଜଣ ଲୋକ ଶୌଚରୁ ଫେରୁଥିବା ବେଳେ ନୂତନ ବନ୍ଧ ନିକଟ ବୁଦାରେ ହାତୀଟିକୁ ଦେଖିପାରି ନଥିଲେ। ଯାହା ଫଳରେ ଦନ୍ତା ହାତୀଟି ନରୋତ୍ତମଙ୍କ ଜୀବନ ନେଇ ଯାଇଥିଲା । ପାଖରେ ଥିବା ଅନ୍ୟ ଜଣେ ଯୁବକ ଦୌଡ଼ି ପଳାଇ ଗାଁ ଲୋକଙ୍କୁ ଖବର ଦେଇଥିଲେ। ବନ ବିଭାଗ ଏବଂ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବ ଜବତ କରିଛନ୍ତି ।

ହିନ୍ଦୋଳରେ ହାତୀ ଆକ୍ରମଣ ଏକ ନିତିଦିନିଆ ଘଟଣା ପାଲଟିଛି। ବାରମ୍ବାର ହାତୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି। ଯଦି ସରକାର କିମ୍ବା ବନ ବିଭାଗ ଏଥିପାଇଁ ଠୋସ୍ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଲୋକମାନେ ଘରୁ ବାହାରକୁ ବାହାରିବାକୁ ଭୟ କରିବେ ଏବଂ ସେମାନଙ୍କର ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ।

ମୃତକଙ୍କ ପରିବାର ଗୁଡିଆକାଟେନିର ହିନ୍ଦୋଳର ବାଲିମି ଛକରେ ରାସ୍ତା ଅବରୋଧ କରିଛନ୍ତି । ଝାଲପୁର ଗ୍ରାମବାସୀଙ୍କ ପାଇଁ ସୌର ଲାଇଟ୍ ଏବଂ ସୌର ପ୍ୟାନେଲ ଦାବି କରିଛନ୍ତି । ବନ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଛନ୍ତି।