ରୋମାଞ୍ଚକର ମ୍ୟାଚ୍‌ରେ ଭୁବନେଶ୍ୱରକୁ ହରାଇଲା ରାଉରକେଲା

ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌–ସିଏମ୍‌ ଟ୍ରଫିର ଏକ ରୋମାଞ୍ଚକର ମ୍ୟାଚ୍‌ରେ ରାଉରକେଲା ସୁପରଷ୍ଟାର୍ସ ୩ ୱିକେଟ୍‌ରେ ଭୁବନେଶ୍ୱର ଟାଇଗର୍ସକୁ ପରାସ୍ତ କରିଛି। ଚାପପୂର୍ଣ୍ଣ ପରିସ୍ଥିତିରେ ଅଭିଷେକ ଯାଦବଙ୍କ ଅପରାଜିତ ୬୧ ରନ୍‌ର ଦମ୍‌ଦାର ଇନିଂସ ରାଉରକେଲାକୁ ବିଜୟୀ କରାଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ୱର ଟାଇଗର୍ସ ମାତ୍ର ୨୦ ରନ୍‌ରେ ୨ଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଏହାପରେ ସମ୍ବିତ ବେଜା ଓ ଶ୍ରେୟାଂଶ ଭାରଦ୍ୱାଜ ତୃତୀୟ ୱିକେଟ୍‌ରେ ୫୦ ରନ୍‌ର ଭାଗୀଦାରି ଗଢ଼ି ଦଳକୁ ସମ୍ଭାଳିଥିଲେ। ସମ୍ବିତ ୧୯ ବଲ୍‌ରେ ୨୫ ଏବଂ ଶ୍ରେୟାଂଶ ୨୮ ବଲ୍‌ରେ ୩୯ ରନ୍‌ କରିଥିଲେ। ରୁଦ୍ର ପ୍ରସାଦ ମଲ୍ଲିକ ୩୫ ବଲ୍‌ରେ ୪୭ ରନ୍‌ କରିବାରୁ ଭୁବନେଶ୍ୱର ୧୪୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ରାଉରକେଲା ପକ୍ଷରୁ ପାପୁ ରାୟ ୪ ଓଭରରେ ୨୦ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିଲେ।

୧୫୦ ରନ୍‌ର ଲକ୍ଷ୍ୟର ପିଛା କରି ରାଉରକେଲା ମଧ୍ୟ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୮ ଓଭର ମଧ୍ୟରେ ୪୯ ରନ୍‌ରେ ୪ଟି ୱିକେଟ୍‌ ହରାଇଥିଲା ଦଳ। ତେବେ ଅଭିଷେକ ଯାଦବ ଧୈର୍ଯ୍ୟର ସହ ବ୍ୟାଟିଂ କରି ଇନିଂସକୁ ସମ୍ଭାଳିଥିଲେ। ସେ ୩୮ ବଲ୍‌ରୁ ଅପରାଜିତ ୬୧ ରନ୍‌ କରି ରାଉରକେଲାକୁ ଲକ୍ଷ୍ୟରେ ପହଞ୍ଚାଇଥିଲେ। ଶେଷରେ ରାଉରକେଲା ୩ ୱିକେଟ୍‌ରେ ମ୍ୟାଚ୍‌ ଜିତିଥିଲା।

ମ୍ୟାଚ୍‌ର ଚମତ୍କାର ପ୍ରଦର୍ଶନ ପାଇଁ ଅଭିଷେକ ଯାଦବଙ୍କୁ ‘ଡାଇନାମିକ୍‌ ଷ୍ଟ୍ରାଇକର୍‌ ଅଫ୍‌ ଦି ମ୍ୟାଚ୍‌’ ଏବଂ ‘ପ୍ଲେୟର୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରାଯାଇଥିଲା। ଭୁବନେଶ୍ୱର ଟାଇଗର୍ସର ପ୍ରତିନିଧି ପୁଣ୍ୟ ପ୍ରକାଶ ପରିଡ଼ା ‘ଡାଇନାମିକ୍‌ ଷ୍ଟ୍ରାଇକର୍‌ ଅଫ୍‌ ଦି ମ୍ୟାଚ୍‌’ ଏବଂ ଭାରତ ମସଲାର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ଅରୁଣ ନାୟକ ‘ପ୍ଲେୟର୍‌ ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ପ୍ରଦାନ କରିଥିଲେ।