ରାଜ୍ୟରେ ମାଳମାଳ ବେକାରୀ, ଚାକିରି ଖଣ୍ଡିଏ ନପାଇ ଯୁବପିଢ଼ି ଚିନ୍ତାରେ ରହୁଛନ୍ତି । ଅନେକ ସମୟରେ ଖୁବ୍ କମ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଲକ୍ଷ ଲକ୍ଷ ଆଶାୟୀ ଆବେଦନ କରୁଥିବା ଦେଖିବାକୁ ମିଳୁଛି । ଏପରି ସମୟରେ ପୁଣି ଚାକିରିକୁ ନେଇ ଜାଲିଆତି ହୋଇଥିବା ଅଭିଯୋଗ ଆସିଛି । ପୋଲିସ ସବ୍ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା ପୂର୍ବରୁ ଏକ ବଡ଼ ଜାଲିଆତି ଧରାପଡ଼ିଛି । ପରୀକ୍ଷା ପରିଚାଳନା ଦାୟିତ୍ଵ ନେଇଥିବା ସଂସ୍ଥା ୧୨୦ରୁ ଊର୍ଦ୍ଧ ଚାକିରି ଆଶାୟୀଙ୍କୁ କୋଟିଂ ଦେବା ପାଇଁ ଭୁବନେଶ୍ବରରୁ ୩ଟି ବସ୍ରେ ହାଇଦ୍ରାବାଦ ନେଉଥିବା ସମ୍ପର୍କରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅଭିଯୋଗ ହୋଇଥିଲା। ଚାକିରି ଆଶାୟୀଙ୍କୁ ଗଞ୍ଜ ଗଞ୍ଜାମ ଜିଲା ଦେଇ ନିଆଯାଉଥିବା ଜଣାପଡିବା ପରେ ସେମାନଙ୍କୁ ପିଛା କରିବା ପାଇଁ ବ୍ରହ୍ମପୁର ଏସ୍ପି ଙ୍କୁ ପୋଲିସ ମୁଖ୍ୟାଳୟରୁ ନିର୍ଦ୍ଦେଶ ଆସିଥିଲା। ପରେ ଏସ୍ପି ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଉକ୍ତ ବସ୍ଗୁଡିକର ପିଛା କରି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟରୁ ଧରି ବସ୍ଗୁଡିକରୁ ୧୧୭ ଜଣ ପରୀକ୍ଷାର୍ଥୀ ଏବଂ ୨ ଦଲାଲଙ୍କୁ ଗିରଫ କରିଥିଲେ । ପୋଲିସ ଧରିବା ପରେ ବ୍ରହ୍ମପୁର ଆଣି ପଚରାଉଚୁରା କରୁଥିବା ବେଳେ ଜଣେ ଜଣେ ଆଶାୟୀ ପରୀକ୍ଷା ପୂର୍ବରୁ ୧୦ ଲକ୍ଷ ଟଙ୍କା ଦେଇଥିବା ବେଳେ ପରୀକ୍ଷା ପରେ ଆଉ ୧୫ ଲକ୍ଷ ଟଙ୍କା ଦେଇଥାନ୍ତେ ବୋଲି ସୂଚନା ମିଳିଛି ।
ଅନ୍ୟପଟେ ଘଟଣା ପ୍ରଘଟ ହେବା ପରେ ପୋଲିସ ନିଯୁକ୍ତି ବୋର୍ଡ ପରୀକ୍ଷାକୁ ବାତିଲ କରିବା ସହ ସୂଚନା ଓ ଅଭିଯୋଗ ପାଇଁ ଏକ ହେଲ୍ପଲାଇନ୍ ନମ୍ବର (୯୦୪୦୪ ୯୩୨୨୩) ଜାରି କରାଯାଇଛି । ଯଦି କେହି କିଛି ଅଭିଯୋଗ କରିବାକୁ ଚାହୁଁଛନ୍ତି, ସେମାନେ ଏହି ନମ୍ୱରରେ ଯୋଗାଯୋଗ କରିପାରିବେ। ତେବେ ସେମାନଙ୍କ ତଥ୍ୟ ଗୋପନ ରଖାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏଭଳି ଏକ ବଡ଼ଧରଣର ଜାଲିଆତି ପ୍ରଘଟ ହେବା ପରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ତେବେ ପୂର୍ବରୁ ମଧ୍ୟ ପୋଲିସ ନିଯୁକ୍ତି ପରୀକ୍ଷା ବାତିଲ ହୋଇଥିଲା। ଏହି ପଦବି ନିମନ୍ତେ ୨୦୨୫ ଜାନୁଆରି ମାସରେ ଆବେଦନ ଆହ୍ୱାନ କରାଯାଇଥିଲା। ମାର୍ଚ୍ଚ ୮ ଓ ୯ ତାରିଖ ଦୁଇଦିନ ଧରି ଲିଖିତ ପରୀକ୍ଷା ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ଦିନକ ଆଗରୁ ଅର୍ଥାତ ମାର୍ଚ୍ଚ ୭ ତାରିଖରେ ପରୀକ୍ଷା ସ୍ଥଗିତ ନେଇ ଘୋଷଣା କରାଯାଇଥିଲା।
ତେବେ ଚାକିରି ଜାଲିଆତି ପଛରେ କେଉଁମାନେ ରହିଛନ୍ତି ସେନେଇ ପୋଲିସ ଛାନଭିନ ଚଳାଇଛି । ହେଲେ ଏଠି ପ୍ରଶ୍ନ ଉଠୁଛି- ପରୀକ୍ଷା ପରିଚାଳନା ଦାୟିତ୍ବ ପାଇଥିବା ସଂସ୍ଥା କିଭଳି ପିଲାଙ୍କୁ ଦେଉଥିଲା ସ୍ପେଶାଲ୍ କୋଚିଂ ? ସଂପୃକ୍ତ ସଂସ୍ଥା ପ୍ରଥମ ଥର ଏଭଳି ସ୍ପେଶାଲ କୋଚିଂ ଦେଉଥିଲା ନା ପୂର୍ବରୁ ବି ଏଭଳି ସ୍ପେଶାଲ କୋଚିଂ ଦେଇଛି ? କେବେଠାରୁ ଚାଲିଛି ଏଭଳି ଚାକିରି ଜାଲିଆତି ? ଏନେଇ ବିଭିନ୍ନ ଦିଗରୁ ଛାନଭିନ ଚଳାଇଛି ବ୍ରହ୍ମପୁର ପୋଲିସ ।