ବର୍ଷାରେ ଭିଜିବ ପାର୍ବଣ; ଆଜି ଘୂର୍ଣ୍ଣିବଳୟ ସୃଷ୍ଟି

ଭୁବନେଶ୍ଵର: ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବର ୨ରେ ନେବ ଅବପାତର ରୂପ । ୩ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ତେବେ ଉତ୍ତର-ଆଣ୍ଡାମାନ ସାଗରରେ ଦାନାବାନ୍ଧୁଛି ଏକ ଘୂର୍ଣ୍ଣିବଳୟ । ଆଇଏମଡିର ଆକଳନ ଅନୁସାରେ, ଏହାର ପ୍ରଭାବରେ ଅକ୍ଟୋବର ୧ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅକ୍ଟୋବର ୨ ବେଳକୁ ଅବପାତର ରୂପ ନେଇପାରେ । ବଙ୍ଗପୋସାଗରରେ ଲଘୁଚାପ ଦାନା ବାନ୍ଧୁଥିବାରୁ ପୂଜାର ଶେଷ ଦୁଇ ଦିନକୁ ଫିକା ପକାଇବା ଆଶଙ୍କା କରାଯାଉଛି । କାଲି ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି ଏବଂ ଏହା ସମୁଦ୍ର ପତ୍ତନଠାରୁ ୩.୧ କି.ମି.ରୁ ୭.୬ କି.ମି. ମଧ୍ୟରେ ଉଚ୍ଚତାରେ ଦକ୍ଷିଣ ଦିଗକୁ ଝୁଲି ରହିଛି । ଏହାର ପ୍ରଭାବରେ ଆସନ୍ତା ଅକ୍ଟୋବର ୨ ତାରିଖରେ ୫ ଜିଲ୍ଲାକୁ ଅରେଞ୍ଜ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ମାଲକାନଗିରି, କୋରାପୁଟ, ରାୟଗଡ଼ା ସହ କନ୍ଧମାଳ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ବିଜୁଳି ଘଡଘଡି ଏବଂ ୪୦ ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।