ଭୁବନେଶ୍ଵର: ଆସନ୍ତା ୨୫ ଓ ଅକ୍ଟୋବର ୧ ତାରିଖରେ ପୁଣି ସୃଷ୍ଟି ହେବ ଲଘୁଚାପ । ୨ଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଆଣ୍ଡାମାନ ସାଗର ଓ ମିଆମାର୍ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଆସନ୍ତା ୨୨ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ୨୫ ତାରିଖ ଆଡ଼କୁ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ପ୍ରଭାବରେ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ ।
ତେବେ ୩୦ରେ ମିଆମାର୍ ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଅକ୍ଟୋବର ୧ ତାରିଖରେ ଲଘୁଚାପର ରୂପ ନେବା ସହ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ପ୍ରଭାବରେ ୧ ଓ ୨ ତାରିଖରେ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବା ନେଇ ଆଶଙ୍କା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।
ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନାକୁ ନେଇ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଉପକୂଳ ଓ ଉତ୍ତର ଓଡିଶାର ୧୪ ଜିଲ୍ଲା କଟକ, କେନ୍ଦ୍ରାପଡା ଜଗତସିଂପୁର, ନୟାଗଡ, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ ଓ ଗଜପତିକୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା । ତେବେ ୨୭ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।