କନ୍ଧମାଳ: କଳିଙ୍ଗା ଘାଟିରେ ବଡ ଧରଣର ଭୂସ୍ଖଳନ । ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ । ପାହାଡ଼ରୁ ମାଟି ଓ ବଡ଼ ବଡ଼ ପଥର ଧସି ରାସ୍ତାରେ ପଡ଼ିଛି । ଫଳରେ କନ୍ଧମାଳ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ବିଛିନ୍ନ । ବିଜୟୱାଡା-ରାଞ୍ଚି କରିଡରରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ନଯିବା ପାଇଁ କରୁଛନ୍ତି ଅପିଲ । ଏବେ ଗାଡ଼ି ଚଳାଚଳ ବନ୍ଦ କରିଛି ପ୍ରଶାସନ । ବିପଦ ଆଶଙ୍କା କରି କଳିଙ୍ଗା ଓ ଦୁର୍ଗାପ୍ରସାଦ ଠାରେ ପ୍ରବେଶ ପଥ ବନ୍ଦ । ନାକାବନ୍ଦୀ କରି ପ୍ରବେଶ ପଥରେ ଜଗି ରହିଲା ପୋଲିସ ।

ସୂଚନା ଅନୁସାରେ, ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୩ଟାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ଘଟିଛି । ଏଠାରେ ଦୀର୍ଘ ମାସ ହେଲା ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଏକ ଠିକା ସଂସ୍ଥା ରାସ୍ତା ଚଉଡ଼ା କାର୍ଯ୍ୟ ଜାରି ଥିଲା । ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହେବା ଦୃଶ୍ୟ ଦେଖିବାକୁ ମିଳିଛି । କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଘଟଣାସ୍ଥଳରେ NHAI ଟିମ୍ । ବର୍ଷା ଛାଡ଼ିବା ପରେ ମରାମତି କାମ ଆରମ୍ଭ ହେବ କହିଲେ ଏସ୍ଡିଓ । ବର୍ଷା ନ ଛାଡ଼ିଲେ ମରାମତି କାମ କରି ହେବ ନାହିଁ । ପ୍ରଥମେ ଗାଡ଼ି ଯିବା ଆସିବା ଭଳି ମରାମତି କରାଯିବ । ଏହା ପରେ ତଳୁ ଗାର୍ଡ ୱାଲ୍ କରି ପୂରା ମରାମତି ହେବ । ଗାଡ଼ି ଯାତାୟାତ ସୁବିଧା କରିବା ପର୍ଯ୍ୟନ୍ତ ସେଠାରେ ରହିବ NHAI ଟିମ୍ ବୋଲି କହିଛନ୍ତି ଏସ୍ଡିଓ ।