କେନ୍ଦ୍ରାପଡା:- ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ତେବେ ଗତ ବର୍ଷ ତୁଳନାରେ ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ ଭିତରକନିକାରେ ୧ ଲକ୍ଷ ୩୦ ହଜାର୧୨୩ଟି ଦେଶୀୟ ପକ୍ଷୀ ଥିବାବେଳେ, ଚଳିତବର୍ଷ ଏଥିରେ ବୃଦ୍ଧି ପାଇ ୧ଲକ୍ଷ ୩୦ ହଜାର ୭୯୬ରେ ପହଞ୍ଚିଛି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି । କନିକା ରେଞ୍ଜ ଅନ୍ତର୍ଗତ ଭିତରକନିକା ଭିତରେ ଥିବା ମଠଆଡିଆରେ ୧୩ ହଜାର ୨ଶହ ୬୧ଟି ବସା ଚିହ୍ନଟ କରାଯାଇଛି । ଲକ୍ଷ୍ମୀପ୍ରସାଦଡିଆରେ ୧୩ହଜାର ୫ଶହ ୯୪ଟି ବସା, ଦୁର୍ଗାପ୍ରସାଦଡିଆରେ ୫୯ଟି ବସା ଓ ରାଜନଗର ରେଞ୍ଜ ଅନ୍ତର୍ଗତ ଜାତୀୟ ଉଦ୍ୟାନର ସୀମା ବାହାରେ ବାଲିଡିଆରେ ୭୩୨ଟି ବସା ଚିହ୍ନଟ ହୋଇଛି ।

ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ୧୦ ପ୍ରକାର ପକ୍ଷୀଙ୍କ ସମାଗମ ହୋଇଛି । ପକ୍ଷୀ ଗୁଡିକ ମଧ୍ୟରେ ଗେଣ୍ଡାଳିଆ, ରାଣୀବଗ, ମଝିଆବଗ, ଛୋଟବଗ, ଖଇରାବଗ, ମାଟିଆବଗ, ପାଣିକୁଆ, ଅନ୍ଧାରିଆ ବଗ, କାପରଖାଇ, ଦା ବେଂଟିଆ ପ୍ରଭୃତି ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ପକ୍ଷୀମାନଙ୍କ ମଧ୍ୟରେ ଗେଣ୍ଡାଳିଆ ସର୍ବାଧିକ ଥିବା ବେଳେ ପାଣିକୁଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗତବର୍ଷ ତୁଳନାରେ ଚଳିତବର୍ଷ ୬୭୩ ପକ୍ଷୀ ଅଧିକ ଆସିଥିବା ବନଖଣ୍ଡ ବିଭାଗ ତରଫରୁ ସୂଚନା ଦେଇଛନ୍ତି ।
