କୋରାପୁଟ: ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି । ଏକ ଚା ଦୋକାନରେ ଜଣେ ପ୍ରାଥମିକ ସ୍କୁଲ୍ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନନ୍ଦପୁର ବ୍ଲକ୍ ଶିକ୍ଷାଧିକାରୀ କାର୍ଯ୍ୟାଳୟର କିରାଣି ସମ୍ବିତ କୁମାର ତ୍ରିପାଠୀ । କୋରାପୁଟ ସିମିଳିଗୁଡ଼ାରେ ଚା’ଦୋକାନରେ ଲାଞ୍ଚ ଟଙ୍କା କାରବାର ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା ।

ତେବେ ୨୦୧୯ରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ତା’ପରେ ତାଙ୍କ ପତ୍ନୀ ପେନ୍ସନ୍ ପାଉଛନ୍ତି ଓ ସେଥିରେ ଚଳୁଛନ୍ତି। ତେବେ ମୃତ ଶିକ୍ଷକଙ୍କର କିଛି ବକେୟା ଟଙ୍କା ଏଯାବତ ମିଳିନାହିଁ। ମୃତ ଶିକ୍ଷକଙ୍କ ଉକ୍ତ ବକେୟା ଦରମା କରାଇଦେବାକୁ କହି ୩୦ ହଜାର ଟଙ୍କା ଦାବି କରିଥିଲେ କିରାଣି ଜଣଙ୍କ । ଏନେଇ ଶିକ୍ଷକ ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ । ଗତକାଲି ଶ୍ରୀ ତ୍ରିପାଠୀ ନନ୍ଦପୁରର ଏକ ଚା’ ଦୋକାନ ନିକଟରେ ପ୍ରଥମ କିସ୍ତିରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଟଙ୍କା ଜବତ କରିବା ପରେ କିରାଣିଙ୍କ ଭଡ଼ାଘରେ ଚଢ଼ଉ କରିଥିବା ସୂଚନା ମିଳିଛି। ମାମଲା ରୁଜୁ ପରେ ଜୟପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।