ସୁପ୍ରିମ କୋର୍ଟର ମୁଣ୍ଡ ନୁଆଁଇ ଦେଲା ବଳଙ୍ଗା ଘଟଣା । ଏକ ୧୫ ବର୍ଷିଆ ନାବାଳିକା ଝଅକୁ ନିଆଁ ଲଗାଇଦେବା ଘଟଣା କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ମଧ୍ୟ ହଇଚଇ ସୃଷ୍ଟି କରିଛି । ଯେଉଁ ଘଟଣାରେ ଦେଶର ସର୍ବୋଚ୍ଚ ନ୍ୟାୟଳୟକୁ ମଧ୍ୟ ଲଜ୍ଜିତ ହେବାକୁ ପଡିଛି । ଘଟଣାକୁ ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟଜନକ” ବୋଲି କହିଛନ୍ତି ମହିଳାମାନଙ୍କୁ ବିଶେଷକରି ଗ୍ରାମାଞ୍ଚଳରେ ସଶକ୍ତୀକରଣ ଏବଂ ସେମାନଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସୁପ୍ରିମକୋର୍ଟ।

ବିଚାରପତି ସୂର୍ୟ୍ୟକାନ୍ତ ଏବଂ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ଗ୍ରାମାଞ୍ଚଳରେ ସ୍କୁଲ ଝିଅ, ମହିଳା ଏବଂ ପିଲାମାନଙ୍କୁ ସଶକ୍ତ କରିବା ପାଇଁ କ’ଣ ଠୋସ୍ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ଆମକୁ ସମସ୍ତଙ୍କ ଠାରୁ ପରାମର୍ଶ ଆବଶ୍ୟକ? ଏମାନେ ସମାଜର ସବୁଠାରୁ ଦୁର୍ବଳ ଏବଂ ସ୍ୱରହୀନ ଲୋକ। ଆମର ନିର୍ଦ୍ଦେଶଗୁଡ଼ିକର କିଛି ପ୍ରଭାବ ଏବଂ ସ୍ପଷ୍ଟ ଛାପ ରହିବା ଉଚିତ। ବ୍ଲକସ୍ତରରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ଦୀର୍ଘକାଳୀନ ପ୍ରସ୍ତାବ ମାଗିଛନ୍ତି। ମହିଳାଙ୍କ ଲାଗି ସାରା ଦେଶରେ ସୁରକ୍ଷିତ ପରିବେଶ ପ୍ରଦାନ ନିମନ୍ତେ ମାର୍ଗଦର୍ଶିକା ଜାରି ଦାବି କରି ଏକ ମାମଲାର ବିଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏପରି ଟିପ୍ପଣୀ ଦେଇଛନ୍ତି ।

ସରକାରଙ୍କ ଅପରାଗତା ଯୋଗୁଁ ରାଜ୍ୟରେ ନାରୀ ବିରୋଧୀ ହିଂସା ବୃଦ୍ଧି ପାଉଥିବାରୁ ଓଡ଼ିଶାକୁ ଏବେ ଜାତୀୟ ସ୍ତରରେ ନିନ୍ଦିତ ହେବାକୁ ପଡ଼ୁଛି। ଆବେଦନକାରୀ ସୁପ୍ରିମକୋର୍ଟ ମହିଳା ଓକିଲ ସଂଘ ପକ୍ଷରୁ ବରିଷ୍ଠ ଓକିଲ ମହାଲକ୍ଷ୍ମୀ ପାୱାନି କହିଛନ୍ତି ଯେ କିଛି ଦିନ ପୂର୍ବରୁ ଓଡ଼ିଶାରେ ଜଣେ ନାବାଳିକାଙ୍କୁ ପୋଡ଼ି ହତ୍ୟା କରାଯାଇଥିଲା ଏବଂ ମହାରାଷ୍ଟ୍ର ଏବଂ ତାମିଲନାଡୁରେ ସମାନ ଘଟଣା ଘଟିଥିଲା। ଏହା କେତେ ଦିନ ପର୍ୟ୍ୟନ୍ତ ଚାଲିବ? ମହିଳାଙ୍କ ସୁରକ୍ଷା ପାଇଁ ଏହି କୋର୍ଟ କିଛି ନିର୍ଦ୍ଦେଶ ଦେବା ଆବଶ୍ୟକ।