କନ୍ଧମାଳରେ ଗତ ୫ ବର୍ଷରେ ଯକ୍ଷ୍ମାଜନିତ ମୃତ୍ୟୁ ସଂଖ୍ୟା ୩୧୭ରେ ପହଞ୍ଚିଛି

କନ୍ଧମାଳ:- କନ୍ଧମାଳକୁ ଘାରିଲାଣି ଯକ୍ଷ୍ମା ରୋଗ ଚିନ୍ତା । କନ୍ଧମାଳରେ ଗତ ୫ ବର୍ଷରେ ଯକ୍ଷ୍ମାଜନିତ ମୃତ୍ୟୁ ସଂଖ୍ୟା  ୩୧୭ରେ ପହଞ୍ଚିଛି । ମୃତକଙ୍କ ସଂଖ୍ୟା ବଢ଼ିବା ସହ ସଂକ୍ରମିତଙ୍କ ସଂଖ୍ୟା ସେହି ତୁଳନାରେ ବଢୁଛି ।  ଜିଲ୍ଲା ଯକ୍ଷ୍ମା ରୋଗ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ , ଗତ ୨୦୨୦ ମସିହାରେ କନ୍ଧମାଳ ଜିଲ୍ଲାରେ ୬୩ ଜଣ ରୋଗୀ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଥିବା ବେଳେ ୨୦୨୧ ମସିହାରେ ୭୦ ଜଣ, ୨୦୨୨ ମସିହାରେ ୬୩ ଜଣ, ୨୦୨୩ ମସିହାରେ ୫୧ ଜଣ ଏବଂ ୨୦୨୪ ମସିହାରେ ୭୦ ଜଣ ରୋଗୀଙ୍କର ଯକ୍ଷ୍ମା ରୋଗରେ ମୃତ୍ୟୁ ହୋଇଛି । ସେହିଭଳି ଜିଲ୍ଲାରେ ମୋଟ ୭୦୦ ରୋଗୀ ଯକ୍ଷ୍ମା ରୋଗ ସଂକ୍ରମିତ ହୋଇଛନ୍ତି । ଭାରତକୁ ଯକ୍ଷ୍ମା ରୋଗମୁକ୍ତ କରିବାକୁ କେନ୍ଦ୍ର ସରକାର ବୟସ୍କ ବ୍ୟକ୍ତିଙ୍କୁ ବିସିଜି ଟୀକାକରଣର ଶୁଭାରମ୍ଭ କରିଛନ୍ତି । ୨୦୨୪ ମସିହା ସେପ୍ଟେମ୍ବର ମାସରୁ କନ୍ଧମାଳ ଜିଲ୍ଲାରୁ ପାଇଲଟ୍‌ ପ୍ରକଳ୍ପ ଭାବେ ଆରମ୍ଭ ହୋଇଛି ।  କନ୍ଧମାଳ ଜିଲ୍ଲାରେ ଯକ୍ଷ୍ମା ରୋଗର ନିରାକରଣ ପାଇଁ ନାନା ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହା ସତ୍ତ୍ବେ କନ୍ଧମାଳ ଜିଲ୍ଲାରେ କାହିଁକି ଯକ୍ଷ୍ମା ରୋଗ ବୃଦ୍ଧି ପାଉଛି ତାହା ଚିନ୍ତାର କାରଣ ପାଲଟିଛି ।