ଭୁବନେଶ୍ଵର: ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ସଡ଼କ ପରିବହନ ସଂଘ ଉପସଭାପତି ଦେବେନ୍ଦ୍ର ପାଣିଗ୍ରାହୀଙ୍କ ବିଶୋଦଗାର । ଡ୍ରାଇଭରଙ୍କୁ ଧମକ ଚମକ ଦେଇ ହଇରାଣ କରିବାକୁ ଚେଷ୍ଟା କରୁଛନ୍ତି ପ୍ରଶାନ୍ତ ମେଣ୍ଡୁଲି । ମେଣ୍ଡୁଲି ଓ ଆଦିତ୍ୟଙ୍କ ଆକାଉଣ୍ଟ ଯାଞ୍ଚ କଲେ ୧୦ କୋଟିର ସ୍କାମ୍ ଆସିବ । ଏହି ବଡ଼ ସ୍କାମ୍କୁ ନେଇ ED ତଦନ୍ତର ଆବଶ୍ୟକତା ରହିଛି । ଓଡ଼ିଶାରେ ଥିବା ୩୫ଟି ସଂଘରୁ ୨-୩ଟି ସଂଘ ମେଣ୍ଡୁଲିଙ୍କ ସହ ଅଛନ୍ତି । ମେଣ୍ଡୁଲିଙ୍କ ପଛରେ କିଛି ରାଜନୈତିକ ବ୍ୟକ୍ତି ରହି ଉସୁକାଉଛନ୍ତି । ତାଙ୍କ ସଂଘକୁ ସରକାର ଆଇନ ଆଣି ବେଆଇନ ଘୋଷଣା କରନ୍ତୁ ବୋଲି କହିଛନ୍ତି ସଂଘ ଉପସଭାପତି ଦେବେନ୍ଦ୍ର ପାଣିଗ୍ରାହୀ । ତେବେ ଗତ ୮ ତାରିକରୁ ଜାରି ରହିଛି ଆନ୍ଦୋଳନ । ଗତ କାଲି ପୁରୀରେ ବସିଥିବା ବୈଠକ ପରେ ଆଜି ଘରୋଇ ବସ୍ ଚଳାଚଳ କରିଥିବା ବେଳେ ଅନ୍ୟ ସଂଘ ଏବେବି ଆନ୍ଦୋଳନରେ ବସିଛନ୍ତି । ଅନ୍ୟପଟେ ଡ୍ରାଇଭର ଭାଇମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ । ସରକାର ଆପଣଙ୍କ ସମସ୍ତ ଦାବିକୁ ଶୁଣିଛନ୍ତି, ସବୁ ଦାବିର ସମାଧାନ ହେବ । ଡ୍ରାଇଭର ମହାସଂଘ ନାମରେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଭ୍ରମିତ କରୁଛନ୍ତି । ନିରୀହ, ସରଳ ଡ୍ରାଇଭରମାନେ ଏଥିରୁ କ୍ଷାନ୍ତ ରୁହନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ବିଭୂତି ଜେନା ।