ଆରମ୍ଭ ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ମଣତି ପ୍ରକ୍ରିୟା

ପୁରୀ: ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ପ୍ରକ୍ରିୟା ଆରମ୍ଭ । ଏନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ରାଜ୍ୟ ସରକାର ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖି ୨ ଅଭିଜ୍ଞ ଅଧିକାରୀଙ୍କୁ ଗଣତି ପାଇଁ ପଠାଇବାକୁ ଅନୁରୋଧ କରିଛନ୍ତି । ରିଜର୍ଭ ବ୍ୟାଙ୍କ ଯେଉଁଦିନ ଅଧିକାରୀ ପଠାଇବ ସେହିଦିନ ଗଣତି କରାଯିବ । ଏହା ପୂର୍ବରୁ ଅଳଙ୍କାର ଥିବା ସିନ୍ଦୁକ ପୂର୍ବ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଆଗାମୀ ୩ ମାସ ଭିତରେ ଏହି କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।  ଆଇନ୍‌ ମନ୍ତ୍ରୀ ଆହୁରି କହିଛନ୍ତି, ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ସରିଛି । ରତ୍ନ ଭଣ୍ଡାରର ମଣତି ଗଣତି ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ । ଅସ୍ଥାୟୀ ଟ୍ରେଜେରୀରୁ ମହାପ୍ରଭୁଙ୍କ ରତ୍ନ ବାକ୍ସ ଗୁଡ଼ିକୁ ପ୍ରଥମେ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର ହେବ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଠାରୁ ସମୟ ଦିଆଯିବା ପରେ ରତ୍ନ ଭଣ୍ଡାର ମଣତି ଗଣତି ପ୍ରକ୍ରିୟା ଆରମ୍ଭ କରାଯିବ । ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସାରି  ASI ଶ୍ରୀମନ୍ଦିର ପ୍ରଶାସନକୁ ଚାବି ହସ୍ତାନ୍ତର କରିଛି । ବାହାର ରତ୍ନଭଣ୍ଡାରରେ ବର୍ମାଟିକ କାଠରେ କବାଟ ଲଗାଯାଇଥିବା ବେଳେ ଏହାକୁ ରୁପା ଛାଉଣୀ କରାଯିବ । ସେହିପରି ଭିତର ରତ୍ନଭଣ୍ଡାର କବାଟକୁ ସୁନା ଛାଉଣୀ କରିବାକୁ ସ୍ଥିର କରିଛି ଶ୍ରୀମନ୍ଦିର ପ୍ରଶାସନ । ଏବେ ରତ୍ନଭଣ୍ଡାରରେ ୬ ଟି ତାଲା ପଡିଛି । ଭିତର ଓ ବାହାର ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ।  ଗଣତି ପୂର୍ବରୁ ରତ୍ନଭଣ୍ଡାର ଅଳଙ୍କାର ଗୁଡିକ ମୂଳ ଭଣ୍ଡାରକୁ ଆସିବାର ବ୍ୟବସ୍ଥା ହେବ ବୋଲି କହିଛନ୍ତି ମନ୍ତ୍ରୀ ।