ଭୁବନେଶ୍ଵର: ଶେଷରେ ମନମୋହନ ସାମଲଙ୍କ କାର୍ଯ୍ୟ ଉପରେ ଭରଷା ଦେଖାଇଛି ବିଜେପି । ପୁଣି ବିଜେପି ରାଜ୍ୟ ହେଲେ ସଭାପତି ମନମୋହନ ସାମଲ! ନିର୍ବିବାଦୀୟ ଭାବରେ ମନମୋହନ ସାମଲ ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି। ଏନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନଥିଲେ ମଧ୍ୟ ଏକମାତ୍ର ପ୍ରାର୍ଥୀ ଭାବରେ ସେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ହିଁ ନିର୍ଦ୍ବନ୍ଦ୍ଵରେ ବିଜେପି ସଭାପତି ନିର୍ବାଚିତ ହେବେ ତାହା ସ୍ପଷ୍ଟ ହୋଇଯାଇଛି। ସେପଟେ କେନ୍ଦ୍ର ନେତୃତ୍ୱ ମନମୋହନଙ୍କ ନାଁରେ ମୋହର ମାରିଛନ୍ତି । ମନମୋହନଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଢ଼ିବାରେ ସଫଳ ହୋଇଥିଲା ।

ମନମୋହନ ସାମଲଙ୍କ ଟ୍ରାକ ରେକର୍ଡ ବେଶ ସୁଦୃଢ଼। ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଥିଲେ। ଏହାପରେ ୨୦୨୩ରୁ ରାଜ୍ୟ ସଭାପତି ଦାୟିତ୍ବରେ ଅଛନ୍ତି। କେନ୍ଦ୍ରୀୟ ନେତୃତ୍ୱ ନିରନ୍ତରତାକୁ ମହତ୍ବ ଦେଉଛନ୍ତି। ରାଜ୍ୟରେ ବିଜେପିକୁ କ୍ଷମତାକୁ ଆଣିବାରେ ୬୬ ବର୍ଷୀୟ ମନମୋହନ ସାମଲଙ୍କ ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ନେତୃତ୍ୱରେ ଲଢୁଥିଲା ଦଳ । ମନମୋହନଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ବିଏ, ଏଲଏଲଏମ୍ । ରାଜନୀତିରେ ମନମୋହନଙ୍କର ରହିଛି ଲମ୍ବା କ୍ୟାରିୟର୍ । ୧୯୫୯ ମସିହାରେ ଭଦ୍ରକ ଜିଲ୍ଲାରେ ଜନ୍ମିତ ମନମୋହନ ୧୯୭୯ ମସିହାରେ ଭଦ୍ରକ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ହୋଇଥିଲେ ।
ଏହାପରେ ୧୯୭୯–୮୧ ଯାଏଁ ଏବିଭିପି ରାଜ୍ୟ ସମ୍ପାଦକ ରହିବା ପରେ ୧୯୮୧–୮୨ ଯାଏଁ ଏବିଭିପିର ରାଜ୍ୟ ଉପସଭାପତି ରହିଥିଲେ । ଏହାପରେ ୧୯୮୩ରେ ଧାମନଗର ନିର୍ବାଚନମଣ୍ଡଳୀ ସଭାପତି ଭାବେ ନିଜ କାର୍ଯ୍ୟ ତୁଲାଇ ଥିଲେ । ତା’ପରେ ୧୯୮୪ରେ ବିଜେପି ଜିଲ୍ଲା ସମ୍ପାଦକ (ବାଲେଶ୍ବର), ୧୯୯୦–୯୨ ଯାଏଁ ବିଜେପି ରାଜ୍ୟ ସମ୍ପାଦକ, ୧୯୯୨–୯୯ ଯାଏଁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ୧୯୯୯–୨୦୦୪ ଯାଏଁ ରାଜ୍ୟ ବିଜେପି ସଭାପତି ଥିଲେ । ତା’ପରେ ୨୦୦୦ ମସିହାରେ ମନମୋହନ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଧାମନଗର ବିଧାୟକ ଭାବେ କାର୍ଯ୍ୟ ତୁଲାଇଥିଲେ । ସେତେବେଳେ ସେ ରାଜସ୍ବ ଓ ଖାଦ୍ୟ ଯୋଗାଣ ବିଭାଗର ମନ୍ତ୍ରୀପଦରେ ମଧ୍ୟ ଥିଲେ । ତାପରେ ୨୦୧୦ ରୁ ୨୦୧୨ ଯାଏଁ ରାଜ୍ୟ ସାଧାରଣ ସମ୍ପାଦକ (ବିଜେପି) ଏବଂ ୨୦୨୩ରେ ରାଜ୍ୟ ବିଜେପି ସଭାପତି ଭାବେ ସେ ତାଙ୍କ କାର୍ଯ୍ୟକୁ ସୁଚାରୁ ରୁପେ ତୁଲେଇ ଆସିଛନ୍ତି ।