ବ୍ୟାଙ୍କିଙ୍ଗ ସହ ଜଡିତ ଅପରେସନ୍‌ ଓ ସାଇବର ସୁରକ୍ଷାକୁ ସମୀକ୍ଷା କରିବା ସହ ସତର୍କ ରହିବା ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ-: ‘ଅପରେସନ୍‌ ସିନ୍ଦୂର’ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଛି । ଏହାକୁ ଧ୍ୟାନରେ ରଖି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରବିଆଇ ଓ ଏନପିସିଆଇକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କିଙ୍ଗ ସହ ଜଡିତ ଅପରେସନ୍‌ ଓ ସାଇବର ସୁରକ୍ଷାକୁ ସମୀକ୍ଷା କରିବା ସହ ସତର୍କ ରହିବା ପାଇଁ କୁହାଯାଇଛି । ଏହାସହ ଗ୍ରାହକଙ୍କୁ କୌଣସି ବାଧା ବିନା ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

୯ ମେ’ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଉଚ୍ଚସ୍ତରୀୟ ବୈଠକରେ ଆରବିଆଇ, ଏନପିସିଆଇ, ଏନଏସଇ, ବିଏସଇ, ଓ ପ୍ରମୁଖ ବ୍ୟାଙ୍କର ପ୍ରତିନିଧିଙ୍କୁ ବ୍ୟାଙ୍କିଙ୍ଗ ସିଷ୍ଟମ, ପେମେଣ୍ଟ ଗେଟ୍‌ୱେ ଓ ୟୁପିଆଇକୁ ସୁରକ୍ଷିତ କରିବା ପାଇଁ ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଅର୍ଥମନ୍ତ୍ରୀ ବ୍ୟାଙ୍କ ଗୁଡିକୁ କହିଛନ୍ତି, ନାଗରିକ ଓ ବ୍ୟବସାୟୀଙ୍କୁ ଯେକୌଣସି ପରିସ୍ଥିତିରେ ଯେପରି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ। ଏହାସହ ଏଟିଏମରୁ ଟଙ୍କା ବିନା କୌଣସି ବାଧାରେ ଉପଲବ୍ଧ କରାଇବା ପାଇଁ, ୟୁପିଆଇ ଓ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ସେବା ଓ ଜରୁରୀ ବ୍ୟାଙ୍କିଙ୍ଗ୍‌ ସୁବିଧାକୁ ମଧ୍ୟ ସୁରକ୍ଷିତ ଉପାୟରେ କାମ କରିବା ଉଚିତ୍‌ । ସେହିପରି ବ୍ୟାଙ୍କ ଅଧିକାରୀ କହିଛନ୍ତି, ତାଙ୍କର ଏସଓସି ଓ ନେଟୱାର୍କ ସଞ୍ଚାଳନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ଚାଳୁ ରହିଛି ଓ ହାଇ ଆଲର୍ଟରେ ରହିଛି ।