ମାଲକାନଗିରି-: ସୀମାନ୍ତ ଅଞ୍ଚଳରେ ମାତିଲେ ମାଓବାଦୀ । ଛତିଶଗଡ଼ ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ । ତାରଲାବେଡ଼ା ନାଏବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ବ୍ୟକ୍ତିଙ୍କ ନାମ ମୁଚାକି ରାମା ବୋଲି ଜଣାପଡିଛି । ଘଟଣା ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି ।
ସୂଚନା ଅନୁଯାୟୀ ସୋମବାର ଅପରାହ୍ନ ୩ଟା ବେଳେ ସାଧା ପୋଷାକରେ ତାରଲାଗୁଡା ପଞ୍ଚାୟତର ବେନପାଲ୍ଲୀ ଗ୍ରାମରେ ପହଞ୍ଚିଥିଲେ ମାଓବାଦୀ ଏବଂ ପଞ୍ଚାୟତର ନାଏବ ସରପଞ୍ଚ ମୁଚାକି ରାମାକୁ ଖୋଜିଥିଲେ । ସ୍ଥାନୀୟ ଲୋକେ ମୁଚାକି ରାମାଙ୍କ ଘରକୁ ଦେଖାଇ ଦେଇଥିଲେ । ତେବେ ସାଧା ପୋଷାକରେ ଆସିଥିବା କିଛି ବ୍ୟକ୍ତି ତାଂକୁ ଘରୁ ଟାଣି ଆଣି ଦୌଡିରେ ବାନ୍ଧି ତାଙ୍କ ଗଳାକାଟି ହତ୍ୟା କରିଥିଲେ । ଏନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଥିଲେ।
ହତ୍ୟା ପରେ ମାଓବାଦୀମାନେ ଜଙ୍ଗଲକୁ ପଳାଇବା ପରେ ଗ୍ରାମବାସୀ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଏବଂ ସୁରକ୍ଷା ବାହିନୀ ଘଟଣା ସ୍ଥଳରେ ପହଂଚି ରାମାଙ୍କ ଶବକୁ ଜବତ କରି ବ୍ୟବଛେଦ କରାଇବା ପାଇଁ ପଠାଇବା ସହିତ ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।