ଛଅ ମାସ ବନ୍ଦ ରହିବା ପରେ ଖୋଲିଲା ବଦ୍ରିନାଥ ଧାମ

ନୂଆଦିଲ୍ଲୀ-: ଦୀର୍ଘ ୬ ମାସ ପରେ ଭକ୍ତମାନଙ୍କ ପାଇଁ ଖୋଲିଛି ବଦ୍ରିନାଥ ଧାମର ଦ୍ୱାର । ଏଥିପାଇଁ ଖୁବ ସୁନ୍ଦର ଭାବେ ବଦ୍ରିନାଥ ଧାମକୁ ଫୁଲରେ ସଜା ଯାଇଥିଲା । ମନ୍ଦିର ଉପରେ ଆକାଶ ମାର୍ଗରୁ ଫୁଲ ବର୍ଷା ମଧ୍ୟ କରାଯାଇଥିଲା । ସାରାଦେଶରୁ ବହୁ ସଂଖ୍ୟକ ତୀର୍ଥଯାତ୍ରୀ ଏବଂ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ବଦ୍ରିନାଥ ଧାମରେ ।

ବଦ୍ରିନାଥ ମନ୍ଦିର ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏବଂ ହିନ୍ଦୁ ମାନଙ୍କ ପାଇଁ ପବିତ୍ର ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଏହି ପବିତ୍ର ସ୍ଥାନଟି ଅଳକାନନ୍ଦା ନଦୀର ବାମ କୂଳରେ ନର ଏବଂ ନାରାୟଣ ପର୍ବତ ମଧ୍ୟରେ ଅବସ୍ଥିତ । ମନ୍ଦିରଟି କେବଳ ମେ ରୁ ନଭେମ୍ବର ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲା ରହିଥାଏ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉପସ୍ଥିତ ରହିଥିଲେ । ପ୍ରଥମେ ବଦ୍ରିନାଥ ଧାମର ମୁଖ୍ୟ ମନ୍ଦିରର ପୂଜା ସରିବା ପରେ ଗଣେଶମନ୍ଦିର, ଘଣ୍ଟାକର୍ଣ୍ଣମନ୍ଦିର, ଆଦି କେଦାରେଶ୍ୱରମନ୍ଦିର, ଆଦି ଗୁରୁ ଶଙ୍କରାଚାର୍ଯ୍ୟ ମନ୍ଦିର ଏବଂ ମାତା ମୂର୍ତ୍ତି ମନ୍ଦିରର ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯାଇଥିଲା । ବଦ୍ରିନାଥ ଧାମ ଯାତ୍ରାକୁ ସୁରକ୍ଷିତ ଏବଂ ସୁଗମ କରିବା ପାଇଁ ସ୍ଥାନୀୟ ପ୍ରଶାସନ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ସମାପ୍ତ କରିଛି ।