ହିନ୍ଦୋଳରେ ଅତିଷ୍ଟ କଲାଣି ବିଜୁଳି କାଟ : ଫେଲ ମାରିଛି ଟାଟା ପାୱାରର ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା

ହିନ୍ଦୋଳ/ ଗୌତମ ମୁଦୁଲି: ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ଖରାଦିନରେ ବିଜୁଳି କାଟ୍‌ ସମସ୍ୟା ଲୋକଙ୍କୁ କଲବଲ କରିଥାଏ। ତେବେ ବିଜୁଳି କାଟ୍‌କୁ ନେଇ ସରକାର ରାଜ୍ୟରେ ଅଘୋଷିତ ବିଜୁଳି କାଟ୍‌ କରାଯିବ ନାହିଁ ବୋଲି କହିଥିବା ବେଳେ ହିନ୍ଦୋଳ ଅଞ୍ଚଳରେ ଖରା ଗରମ ସାଙ୍ଗକୁ ବିଦ୍ୟୁତକାଟ ଲୋକଙ୍କୁ ନାକେଦମ୍‌ କଲାଣି।ସ୍କୁଲରେ ଆଉଟପାଉଟ ହେଉଛନ୍ତି ଛାତ୍ରଛାତ୍ରୀ।ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହିତ ପାଣି ପାଇଁ ବହୁ ଅସୁବିଧା ଭୋଗୁଛନ୍ତି ଲୋକେ। ବିଶେଷ କରି ରାତ୍ରୀ ସମୟରେ ଘନଘନ ବିଜୁଳିକାଟ ହେବା ଫଳରେ  ଲୋକମାନେ ଘରେ ଫ୍ୟାନ,କୁଲର୍ ଇତ୍ୟାଦି ବ୍ୟବହାର କରିବାରୁ ବଞ୍ଚିତ ହେଉଛନ୍ତି ତେଣୁ ବାଧ୍ୟ ହୋଇ କିଏ ରାସ୍ତା କଡ଼ରେ ଖଟ,ସପ ପକାଇ ସୋଇଲାଣି ତ ଆଉ କିଏ ଛାତ ଉପରକୁ ଶୋଇବା ପାଇଁ ଚାଲି ଯାଉଛି। ତେବେ ହିନ୍ଦୋଳ ଭଳି ଏକ ସ୍ୱାଭିମାନ ଅଞ୍ଚଳରେ ବିଦ୍ୟୁତ୍ ବିଭାଗର ଏଭଳି ଯନ୍ତ୍ରଣା ଲୋକମାନଙ୍କୁ ଯମଯନ୍ତ୍ରଣା ଦେବା ସହ ଏକ ପ୍ରକାର ଚିନ୍ତାର ବିଷୟ ପାଲଟି ଯାଇଛି। ଗୋଟିଏ ପଟେ ସରକାର୍ ଲୋକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ହେବା ବେଳେ ହିନ୍ଦୋଳ ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଲୋକମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଖୁବ୍ ଶୀଘ୍ର ହିନ୍ଦୋଳରେ ଏନେଇ ଏକ ବଡ ଧରଣର ଆନ୍ଦୋଳନ ହେବା ସହିତ ବିଦ୍ୟୁତ୍ ବିଭାଗର କାର୍ଯ୍ୟଳୟ ଘେରାଉ କରିବା ପାଇଁ ଲୋକ ମାନେ ସଜବାଜ ହେଲେଣି।