ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ-ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢେଇ

ରାଜସ୍ଥାନ  : ଆଜି ରାଜସ୍ଥାନ ରୟାଲ୍ସ ଘରୋଇ ଗ୍ରାଉଣ୍ଡ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ । ଉଭୟ ଦଳ ଇତି ମଧ୍ୟରେ ୫ଟି ଲେଖାଏଁ ମ୍ୟାଚ୍‌ ଖେଳି ସାରିଛନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ ୩ଟି ଓ ରାଜସ୍ଥାନ ରୟାଲ୍ସ ୨ଟି ମ୍ୟାଚ୍‌ ଜିତି ଯଥାକ୍ରମେ ୬ ଓ ୪ ପଏଣ୍ଟ ଅର୍ଜନ କରିଛନ୍ତି । ବର୍ତ୍ତମାନ ପଏଣ୍ଟ ବଢ଼ାଇବାର ସମୟ ଆସିଛି । ତେଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ରାଜସ୍ଥାନ ରୟାଲ୍ସ ଜୟପୁରରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଏଥର ଘରୋଇ ଗ୍ରାଉଣ୍ଡ ଭାଗ୍ୟ ବଦଳାଇବ ବୋଲି ଆଶା ରଖିଛି । ଉଭୟ ଦଳ ମଧ୍ୟରେ ମୋଟ୍‌ ୩୨ଟି ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୫ଟି ଓ ରାଜସ୍ଥାନ ରୟାଲ୍ସ ୧୪ଟି ମ୍ୟାଚ୍‌ ଜିତିଛନ୍ତି । ୩ଟି ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଛି । ଆଜି ଉଭୟ ଦଳ ଏକାଦଶ (ଦ୍ୱାଦଶ)ରେ ପରିବର୍ତ୍ତନ କରିବା ସମ୍ଭାବନା ରହିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଲାଏମ ଲିଭିଙ୍ଗଷ୍ଟୋନଙ୍କୁ ବାଦ ଦେଇ ତାଙ୍କ ସ୍ଥାନରେ ଜାକବ ବେଥେଲଙ୍କୁ ଖେଳାଇପାରେ । ସେହିପରି ରାଜସ୍ଥାନ ରୟାଲ୍ସ ଦଳକୁ ୱାନିଣ୍ଡୁ ହସରଙ୍ଗା ପ୍ରତ୍ୟାବର୍ତ୍ତନ କରିବେ । ବିରାଟ କୋହଲି ଏକ ରେକର୍ଡ ସମକକ୍ଷ ହେବାର ସୁଯୋଗ ରହିଛି ।