ବ୍ୟୁରୋ-: ଶ୍ରୀମନ୍ଦିର ରତ୍ନଭଣ୍ଡାର କମିସନ ରିପୋର୍ଟ ସାର୍ବଜନୀନ କରିବା ସମ୍ପର୍କିତ ମାମଲାର ଶୁଣାଣି ସୋମବାର ଉଚ୍ଚ ନ୍ୟାୟାଳୟରେ ହୋଇଛି। ଏଥିରେ କୁହାଯାଇଛି ଯେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗଠିତ ଜଷ୍ଟିସ୍ ରଘୁବୀର ଦାଶ କମିସନଙ୍କ ରିପୋର୍ଟ ବିଧାନସଭା ତଥା କ୍ୟାବିନେଟ୍ ବୈଠକରେ ଦାଖଲ ହେବ। ଏଥିପାଇଁ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟରେ ଦୁଇ ମାସ ସମୟ ମାଗିଛନ୍ତି । ସେହିଭଳି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ସୋମବାର ଅଦାଲତଙ୍କୁ ଅବଗତ କରିଛନ୍ତି । ପ୍ରଥମେ ଡି ପ୍ଲାଷ୍ଟରିଙ୍ଗ ଓ ପରେ ପଥର ମରାମତି କାମ ଜାରି ରହିଛି।
ସେହିପରି ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର ହୋଇଥିଲା ବେଳେ ଏହାର ଗଣତି କାର୍ଯ୍ୟ ନହେବାକୁ ନେଇ ଆବେଦନକାରୀଙ୍କ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । କ’ଣ ପାଇଁ ଗଣତି କାର୍ଯ୍ୟ କରାଯାଉ ନାହିଁ ତାହା ଉପରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ଜବାବ ପରେ ହାଇକୋର୍ଟ ମାମଲାର ଶୁଣାଣି ଆସନ୍ତା ମେ’ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି ।