ବୈଭବ ଓ ବରୁଣଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହାଇଦ୍ରାବାଦ

ବ୍ୟୁରୋ-: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୮୦ ରନ୍‌ର ବଡ଼ ବ୍ୟବଧାନରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)କୁ ପରାସ୍ତ କରିଛି। ଏହା କୋଲକାତାର ଚତୁର୍ଥ ମ୍ୟାଚରେ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ହାଇଦ୍ରାବାଦ ଲାଗି ଏହା ଚତୁର୍ଥ ମ୍ୟାଚରେ ତୃତୀୟ ପରାଜୟ।

ଟସ୍ ହରାଇବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କୋଲକାତାକୁ, ପ୍ରଥମରୁ ଝଟକା ଦେବା ଆରମ୍ଭ କରିଥିଲା ହାଇଦ୍ରାବାଦ। ଦଳର ଉଭୟ ଓପନିଂ ବ୍ୟାଟ୍ସମ୍ୟାନ୍ ପାୱାରପ୍ଲେରେ ପାଭିଲିୟନକୁ ଫେରିଥିଲେ। ପ୍ୟାଟ୍ କମିନ୍ସ, ଜିଶାନ୍ ଅନସାରୀଙ୍କ ଦ୍ବାରା ଧରାଯାଇଥିବା କ୍ୱିଣ୍ଟନ୍ ଡି କକ୍ ଙ୍କ ୱିକେଟ ପାଇଥିଲେ। ଏହା ପରେ ମହମ୍ମଦ ଶାମି ସୁନୀଲ ନାରିନଙ୍କୁ ତାଙ୍କର ଶିକାର କରିଥିଲେ। ଏହା ପରେ ଅଧିନାୟକ ଅଜିଙ୍କ୍ୟ ରାହାଣେ ଦାୟିତ୍ବ ଗ୍ରହଣ କରିଥିଲେ। ସେ ତୃତୀୟ ୱିକେଟ୍ ପାଇଁ ଅଙ୍ଗକ୍ରିଶ ରଘୁଭାନ୍ସିଙ୍କ ସହ ୮୧ ରନ୍ ଭାଗିଦାରୀ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଅଜିଙ୍କ୍ୟ ରାହାନେ ୨୭ ବଲରେ ୧ ଚୌକା ଓ ୪ ଛକା ସହ ୩୮ ଓ ରିଙ୍କୁ ସିଂ ୧୭ ବଲରେ ୪ ଚୌକା ଓ ୧ ଛକା ସହିତ ୩୨ ରନ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ମହମ୍ମଦ ଶାମି, କୁମିନ୍ସ, ଜିଶାନ ଅନସାରୀ ଓ କାମିଣ୍ଡୁ ମେଣ୍ଡିସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ହାଇଦ୍ରାବାଦ ୧୬.୪ ଓଭରରେ ୧୨୦ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ହେନରିଚ କ୍ଲାସେନ ୩୩, କାମିଣ୍ଡୁ ମେଣ୍ଡିସ ୨୭ ଓ ନୀତିଶ କୁମାର ରେଡ୍ଡୀ ୧୯ ରନ କରିଥିଲେ। ବିଜୟୀ କୋଲକାତା ପାଇଁ ବୈଭବ ଆରୋରା ଓ ବରୁନ ଚକ୍ରବର୍ତ୍ତୀ ୩ ଲେଖାଏ ଉଇକେଟ ନେଇଥିବା ବେଳେ ଆନ୍ଦ୍ରେ ରସେଲ ୨ ଉଇକେଟ ଅକ୍ତିଆର କରିଥିଲେ।