ଭଦ୍ରକ: ଘରେ ପଶି ପୂର୍ବତନ ସିଡିଏମଓଙ୍କୁ ଛୁରାମାଡ଼। ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରଘୁନାଥ ପାଢୀଙ୍କୁ ଛୁରା ମାଡ଼ ହୋଇଛି। ଭଦ୍ରକ ଟାଉନ ଥାନା ଅଞ୍ଚଳରେ ନିଜ ଘରେ ଥିବାବେଳେ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା ମିଳିଛି। ଆହତ ରଘୁନାଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅଭିଯୋଗ ଅନୁଯାୟୀ, ଭୋର ସାଢେ ୪ଟାରେ ଚାରିଘରିଆରେ ନିଜ ଘରେ ପୂର୍ବତନ ସିଡିଏମଓ ଥିବାବେଳେ ଦୁର୍ବୃତ୍ତ ଘର ଭିତରକୁ ପଶିଥିଲେ। ପରେ ରଘୁନାଥଙ୍କୁ ଛୁରା ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରଘୁନାଥଙ୍କ ଦେହର ୭ରୁ ଅଧିକ ସ୍ଥାନରେ ଛୁରାମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚୋରି ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଆସି ଛୁରାମାଡ କରିଥିବା ସନ୍ଦେହ କରାଯାଉଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।