ପୁରୀ / ସଞ୍ଜୟ ମହାପାତ୍ର : ଛୋଟ ବେଳେ ପୁଅକୁ ଯେମିତି କୋଳରେ ଧରି ମନ୍ଦିର ଯାଏ ମାଆ , ସେମିତି ମାଆକୁ କୋଳରେ ଧରି ମନ୍ଦିର ନେଇ ଜଗାଦର୍ଶନ କରାଇଲା ପୁଅ। ପୁଲିସ ପୁଅ ପୁରଣ କଲା ମାଆର ଇଚ୍ଛା। “ପୁଅରେ ମତେ ଟିକେ ଏବେ ଜଗାକୁ ଦେଖେଇ ନିଅନ୍ତୁନି, କିଏ ଜାଣେ ତୋ ବାବା ପଛେ ପଛେ ମୋର କଣ ହେଇଯିବ କାଳେ” ବାପାଙ୍କ ଏକାଦଶାହରେ ମାଆର ଏଇ ଦୁଇପଦ କଥା ଆନ୍ଦୋଳିତ କରିଥିଲା ପୁଅକୁ। ପୁଅ ବୃଦ୍ଧା ମାଆକୁ କୋଳରେ କାଖେଇ ଶ୍ରୀମନ୍ଦିରରେ କାଳିଆ ଦର୍ଶନ କରାଇଲା ଆଉ ମାଆର ମନସ୍କାମନା ପୁରଣ କଲା। କୋରାପୁଟ ଜିଲ୍ଲା ଜୟପୁରର ଦିଗାପୁର ଗ୍ରାମର ସନ୍ତୋଷ ପଣ୍ଡା। ଥାର୍ଡ ବାଟାଲିୟନର ସିପାହୀ ଭାବେ କାର୍ଯ୍ୟ କରନ୍ତି। ଗତ ୨୨ତାରିଖ ଦିନ ୭୦ବର୍ଷ ବୟସରେ ତାଙ୍କ ବାପା ବାଳକୃଷ୍ଣ ପଣ୍ଡାଙ୍କ ଦେହାନ୍ତ ଘଟିଥିଲା। ପୂର୍ବରୁ ମାଆ ସବୁବେଳେ କହନ୍ତି ଆମେ ଦୁଇଜଣ ମରିଗଲେ ପୁରୀରେ ଶେଷ କର୍ମ କରିବୁ। ମାଆଙ୍କ ଇଚ୍ଛା ପୂରଣ କରିବାକୁ ସନ୍ତୋଷ ବାପାଙ୍କର ଦଶାହ କର୍ମ ପୁରୀରେ କରିଥିଲେ। ଗତକାଲି ଏକାଦଶାହ କର୍ମ ସରିଗଲା ପରେ ବୃଦ୍ଧା ମାଆ କୁନ୍ତଳା ପୁଅକୁ ଡାକି କହିଲେ “ପୁଅରେ ମତେ ଟିକେ ଏବେ ଜଗାକୁ ଦେଖେଇ ନିଅନ୍ତୁନି। କିଏ ଜାଣେ ତୋ ବାବା ପଛେ ପଛେ ମୋର କଣ ହେଇଯିବ କାଳେ”। ବାପା ଚାଲିଗଲେ କେତେବେଳେ ମାଆର କିଛି ହେଇଯିବ ଭାବି ମାଆକୁ ଶ୍ରୀମନ୍ଦିର ନେଇ ଦର୍ଶନ କରିବାକୁ ବାହାରି ପଡିଲେ। ବାହାରେ ଗହଳି ମନ୍ଦିରରେ ବି ଗହଳି । ଏତେ ବୟସରେ ମାଆକୁ ଆଉ କଷ୍ଟ ଦେବାକୁ ଚାହିଁଲେନି। ନିଜ କୋଳରେ ଧରିଲେ ଏହି ପୁଲିସ ପୁଅ। ଛୋଟବେଳେ ମାଆ ଯେମିତି କୋଳରେ ଧରି ମନ୍ଦିର ଯାଏ ଆଜି ବୃଦ୍ଧ ମାଆକୁ ପୁଅ ସେହିଭଳି କୋଳରେ ଧରି ଜଗାଦର୍ଶନ କରାଇଲା ପୁଅ। ରତ୍ନବେଦୀରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କଲେ ବୃଦ୍ଧା ମାଆ।