ନୂଆଦିଲ୍ଲୀ: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଏହା ବର୍ତ୍ତମାନ ପାରାଦ୍ୱୀପ ଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପନେବା ସମ୍ଭାବନା ରହିଛି ।ଯଦି ବାତ୍ୟାର ରୂପ ନିଏ ନାଁ ରହିବ ‘ହାମୁନ’ ବୋଲି କୁହାଯାଉଛି । ଆଜି ମଧ୍ୟାହ୍ନ ଠାରୁ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ମୂହାଁ ହେବା ସମ୍ଭାବନା ରହିଛି। ଯଦି ବାତ୍ୟା ହୁଏ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି କୁହାଯାଉଛି । ବାତ୍ୟା ପ୍ରଭାବରେ ଘଣ୍ଟାପ୍ରତି ୬୦ ରୁ ୭୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ ବାତ୍ୟାର ବେଗ ସର୍ବାଧିକ ୮୦ କିମି ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ୨୭ ତାରିଖ ପର୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ବାତ୍ୟା ଉପରେ ଆଇଏମଡି ସ୍ବତନ୍ତ୍ର ନଜର ରଖିଛି ।
ଏପଟେ ଆରବ ସାଗରରେ ଅତିଭୀଷଣ ବାତ୍ୟାରେ ପରିଣତ ହେଲା ତେଜ୍ । ଆଜି ପୂର୍ବାହ୍ନ ସୁଦ୍ଧା ଆହୁରି ଘନୀଭୂତ ହୋଇ ଏକ ଅତ୍ୟନ୍ତ ଭୀଷଣ ବାତ୍ୟାର ରୁପନେବା ସମ୍ଭାବନା । ବାତ୍ୟା ‘ତେଜ୍ ‘ ଦକ୍ଷିଣ ଓମାନ ଓ ପାର୍ଶ୍ବବର୍ତ୍ତୀ ୟେମେନ ଉପକୂଳ ଅତିକ୍ରମ କରିବ । ୨୪ ତାରିଖ ବେଳକୁ ଓମାନ ଓ ୟେମେନ ତଟ ନିକଟବର୍ତ୍ତୀ ହେବା ସହ ୨୫ ସକାଳ ବେଳକୁ ସଲାହ ଓ ଅଲ୍ ଘାଇଦା ନିକଟରେ ସ୍ଥଳ ଭାଗ ଛୁଇଁପାରେ । ଭାରତ ଉପକୂଳରେ ତେଜ୍ ପ୍ରଭାବ ପକାଇବ ନାହିଁ ।