ବେଗୁନିଆ : ବେଗୁନିଆ ବ୍ଲକ ଅଞ୍ଚଳରେ ଗତ ଜୁନରେ ୧୨ ପ୍ରତିଶତ ଏବଂ ଜୁଲାଇରେ ୮ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଅଗଷ୍ଟରେ ଭଲ ବର୍ଷା ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଅଗଷ୍ଟରେ ତାପମାତ୍ରା ବୃଦ୍ଧି ଯୋଗୁ ଜମିରେ ଥିବା ଜଳର ପରିମାଣ କମିଯାଇଛି। ଅଧିକାଂଶ ଜମି ଶୁଖୁଲା ପଡିଥିବା ବେଳେ ଚାଷ କାମ ପଛେଇ ଯାଇଛି। ଅଗଷ୍ଟ ମାସ ସରିବାକୁ ଆଉ ଦିନ କେଇଟା ବାକିଥିବା ବେଳେ ସରୁନି ଧାନ ତଳି ନୂଆ ଓ ବେଉଷଣ କାମ। କେତେଜଣ ଚାଷୀଙ୍କ ଜମି ଫାଟି ଆଁ କଲାଣି ତ ଆଉ କେତେ ଚାଷୀ ବର୍ଷାକୁ ଚାହିଁ ହାତ ବାନ୍ଧି ବସିଛନ୍ତି। ଚଳିତ ବର୍ଷ ଖରିଫ ଋତୁ ଆରମ୍ଭରୁ ସେଭଳି ମୌସୁମୀ ବର୍ଷା ନଥିବା ବେଳେ ସାଧାରଣ ଲଘୁଚାପ ବର୍ଷା ଯୋଗୁ କିଛି ପରିମାଣରେ ଚାଷ କାମ ଆରମ୍ଭ ହୋଇଥିଲା।
ସୂଚନା ଥାଉ କି, ବେଗୁନିଆ ବ୍ଲକ ଅଞ୍ଚଳରେ ମୋଟ ୧୬,୫୬୦ ହେକ୍ଟର ଚାଷଜମି ରହିଛି। ସେଥିମଧ୍ୟରୁ ୨୧୪୦ ହେକ୍ଟର ଚାଷଜମି ପଡିଆ ପଡିଛି। ଚଳିତ ଖରିଫ ଋତୁରେ ୧୪୪୨୦ ହେକ୍ଟର ଜମିରେ ଚାଷ କରାଯିବା ନେଇ ଧାର୍ଯ୍ୟ ହୋଇଛି। ୩୭୦୦ ହେକ୍ଟର ଉଚ୍ଚା, ୫୨୦୫ ହେକ୍ଟର ମଧ୍ୟମ ଏବଂ ୫୫୦୫ ହେକ୍ଟର ଖାଲୁଆ ଜମିରେ ଧାନ ଫସଲ କରିବା ପାଇଁ ଚାଷୀକୁଳ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦ ପ୍ରତିଶତ ଜମିରେ ଧାନ ବୁଣା ଏବଂ ୩୫ ପ୍ରତିଶତ ଜମିରେ ଧାନ ଗୁଆ ପୋଡା ଶେଷ ହୋଇଛି। ବଳକା ୪୫ ପ୍ରତିଶତ ଜମିରେ ପାଣି ଅଭାବ ଯୋଗୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ।
ସେହିପରି ୧୦ ହେକ୍ଟର ଖାଲୁଆ ଜମିରେ ବେଉଷଣ ସରିଥିବାବେଳେ ବାକି ୧୫ ପ୍ରତିଶତ ହେକ୍ଟର ଜମି ବେଉଷଣ ନ ହୋଇ ପଡ଼ିରହିଛି। କେବଳ ୩୦ ପ୍ରତିଶତ ଖାଲୁଆ ଜମିକୁ ବାଦ ଦେଲେ ବାକି ୩୫ ପ୍ରତିଶତ ମଧ୍ୟମ ଓ ୩୫ ପ୍ରତିଶତ ଢିପ ଜମିରେ ପାଣି ଅଭାବ ଯୋଗୁ ଫାଟି ଆଁ କଲାଣି ଜମି। ଅନ୍ୟପକ୍ଷରେ ପାଣି ଅଭାବ ଯୋଗୁ ଜମିରେ ଅନାବନା ଘାସ ମାଡଗଲାଣି। ମଧ୍ୟମ ଓ ଢିପ ଜମିରେ ତଳିର ଦିନ ଗଡି ଯାଉଛି । କେବେ ଜମିରେ ପାଣି ହେବ ଓ ଚାଷ କାର୍ଯ୍ୟ ଆଗେଇବ ସେ ଚିନ୍ତାରେ ପଡ଼ିଛି ଚାଷୀକୂଳ। ସେହିପରି ଗୁଆ ପୋଡା ଶେଷ ହୋଇଥିବା ଜମିରେ ପାଣି ଅଭାବ ଯୋଗୁ ଗଛ ଅଧିକ ପିଲ ଦେଇପାରୁ ନାହିଁ ବୋଲି ଚାଷୀଙ୍କ ପକ୍ଷରୁ କୁହାଯାଇଛି। ଫଳରେ ଅମଳ ବାଧାପ୍ରାପ୍ତ ଆଶଙ୍କା ଥିବାରୁ ପରିବାର ପ୍ରତିପୋଷଣ ଚିନ୍ତା ଚାଷୀଙ୍କୁ ଘାରିଛି। ଅକ୍ଷୟ ତୃତୀୟା ପରେ ଖରିଫ ଚାଷ ପାଇଁ ଏହି ବ୍ଲକର ଚାଷୀମାନେ ପ୍ରସ୍ତୁତି ଆରମ୍ଭ କରିଥିଲେ। ଧାନ ବିହନ ବୁଣିବା ସହ ତଳି ପକାଇଥିଲେ। ତେବେ ସଅଳ କିସମ ତଳିଗୁଡିକର ଦିନ ଗଡି ଯାଉଥିବା ବେଳେ ମଧ୍ୟମ କିସମ ତଳି ପାଣିକୁ ଅପେକ୍ଷା କରି ରହିଛି।