ଦିନକରେ ୩ ସରକାରୀ ଅଫିସରଙ୍କୁ ଦଣ୍ଡିତ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ

ବ୍ରହ୍ମପୁର : ଦିନକରେ ୩ ସରକାରୀ ଅଫିସରଙ୍କୁ ଦଣ୍ଡିତ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ବ୍ରହ୍ମପୁର ବିଦ୍ୟୁତ ବିଭାଗର ଅବସର ପ୍ରାପ୍ତ ହେଡକ୍ଲର୍କ ଯୁଗଳ କିଶୋର ପରିଡ଼ାଙ୍କୁ ଭିଜିଲାନ୍ସ କୋର୍ଟ ବର୍ଷେ ଜେଲ୍ ଦଣ୍ଡ ସହ ୫ ହଜାର ଟଙ୍କା ଅର୍ଥଦଣ୍ଡାଦେଶ ଦେଇଛନ୍ତି । ଯୁଗଳ କିଶୋର ଜଣେ ଅବସର ପ୍ରାପ୍ତ ଲାଇନମ୍ୟାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ କାଗଜପତ୍ର କରାଇ ଦେବା ବାବଦରେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ସେହିପରି ଇଲେକଟ୍ରି ବିଲ୍ ଠିକ୍ କରିବା ବାବଦରେ ଲାଞ୍ଚ ନେଇ ଧରାପଡ଼ିଥିବା ଅନୁଗୁଳ ବଇଣ୍ଡା ସେକସନର ପୂର୍ବତନ ଜୁନିୟର ମ୍ୟାନେଜର ସରୋଜ କୁମାର ଦାସଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଅର୍ଥଦଣ୍ଡ ଦେଇଛନ୍ତି । ଅନ୍ୟପଟେ ସୁନ୍ଦରଗଡ଼ କୁତ୍ରା ବ୍ଲକର ପୂର୍ବତନ ହେଡକ୍ଲର୍କ ଦ୍ରୁପଦ ସାହସିଆଙ୍କୁ ଲାଞ୍ଚ ନେବା ଅଭିଯୋଗରେ ୭ ମାସ ଜେଲ୍ ଦଣ୍ଡାଦେଶ ଶୁଣାଯାଇଛି ।