୫ଘଣ୍ଟାର ଲଗାଣ ବର୍ଷାରେ ଉବୁଟୁବୁ ରାଜଧାନୀ, ଘରେ ପଶିଲା ପାଣି

ଭୂବନେଶ୍ୱର : ୫ଘଣ୍ଟାର ଲଗାଣ ବର୍ଷାରେ ଉବୁଟୁବୁ ରାଜଧାନୀ । ଗତକାଲି ରାଜଧାନୀରେ ବିଜୁଳି ଘଡଘଡି ସହ ୫ ଘଣ୍ଟାର ଲଗାତାର ବର୍ଷା ଜନଜିବନକୁ ଅସ୍ତବ୍ୟସ୍ତ କରିଛି । ଅପରାହ୍ନରୁ ରାତି ଯାଏଁ ନିସ୍ତାର ମିଳିନାହିଁ । ୫ ଘଣ୍ଟାର ବର୍ଷାରେ ପୁରା ସହରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହି ବର୍ଷାରେ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି ।ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଥିଲା ।

ତଳିଆ ଅଞ୍ଚଳ ଗୁଡିକରେ ପାଣି ପଶି ଲୋକେ ଅସ୍ତବ୍ୟସ୍ତ ହୋଇଛନ୍ତି । ଆଇଗଣିଆ, ରାଜୀବ ନଗର ଓ ଜାଗମରା ପଞ୍ଚଶଭା ନଗରରେ ପାଣିର ପରିମାଣ ଏତେ ବଢିଯାଇ ଥିଲା ଯେ ବୋଟ ଚାଲିଲା । ପ୍ରାୟ ୭୦୦ରୁ ଅଧିକ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଲୋକଙ୍କୁ ନିକଟସ୍ଥ ସ୍କୁଲ ଓ କମ୍ୟୁନିଟି ସେଣ୍ଟରରେ ରଖାଯାଇଛି । ଲଗାଣ ବର୍ଷା ପାଇଁ ରାସ୍ତାରେ ପାଣିର ପରିମାଣ ଜମି ଜିବା ଫଳରେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା । ବିଏମ୍ସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାୟ ୨୫ଟି ଜାଗାରେ ପାଣି ନିଷ୍କାସନ ଚାଲିଛି। ସାରା ରାତି ଚାଲିଥିଲା ଉଦ୍ଧାର କାର୍ୟ୍ୟ। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୨୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୯୬୯ ଜୁଲାଇ ୩୦ରେ ୨୮୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।ଆଜି ମଧ୍ୟ ଭୂବନେଶ୍ୱର ଓ କଟକରେ ବର୍ଷାର ସମ୍ଭାବନା ଅଛି ।