ପୁରୀ/ସଞ୍ଜୟ ମହାପାତ୍ର: ଶ୍ରୀମନ୍ଦିର ତଥା ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ହୋଇ ରହିଥିବା ତୀର୍ଥ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର ଲାଗି ରାଜ୍ୟ ସରକାର କାର୍ୟ୍ୟ ଜାରୀ ରଖିଛନ୍ତି। ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ପୁଷ୍କରିଣୀ ଉନ୍ନତି କରଣ ପାଇଁ ସ୍ଵତନ୍ତ୍ର ଅର୍ଥ ମଞ୍ଜୁର କରିଛନ୍ତି। ତୀର୍ଥ ପୁଷ୍କରିଣୀ ମାର୍କଣ୍ଡେୟ, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର କାର୍ୟ୍ୟ ଚାଲିଛି । ନରେନ୍ଦ୍ର ପୁଷ୍କରିଣୀ ପୁନରୁଦ୍ଧାର କାର୍ୟ୍ୟ ଶେଷ ପର୍ୟ୍ୟାୟରେ । ପୁଷ୍କରିଣୀର କାନ୍ଥରେ ଦଶାବତାର କାରୁକାର୍ୟ୍ୟ ମୂର୍ତ୍ତି ଖଞ୍ଜା ଯାଇଛି। ସେହିପରି ମାର୍କଣ୍ଡେୟ ପୁଷ୍କରିଣୀରେ ମଧ୍ୟ ବିଭିନ୍ନ କାରୁକାର୍ୟ୍ୟର ମୂର୍ତ୍ତି ଲଗାଯିବ। ଏବେ ମାର୍କଣ୍ଡେୟ ପୁଷ୍କରିଣୀର ପଙ୍କ ଉଦ୍ଧାର କାର୍ୟ୍ୟ ଶେଷ ହୋଇଛି । ବର୍ଷା ଆରମ୍ଭ ହୋଇଯାଇଥିବାରୁ ପୁଷ୍କରିଣୀ ଭିତରକୁ ପାଣି ଝର ବଢ଼ିବାରେ ଲାଗିଛି। ପଙ୍କ ଉଦ୍ଧାର ହୋଇସାରିଥିବାରୁ ପାଣିଝର ବଢ଼ିବା ସହିତ ମାଟି ମଧ୍ୟ ଖସି ଯାଉଛି। ଏହାକୁ ଦୃଷ୍ଟିରେ ରଖି ପୁଷ୍କରିଣୀର ପାହାଚ ତଳୁ ଯେପରି ମାଟି ନ ଖସିବ ସେଥିପାଇଁ ସେଠାରେ ନାଲି ମାଟି ଦିଆଯିବା ସହିତ ବାଲିବସ୍ତା ଦିଆଯାଇଛି। ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଜିଓଫେବ୍ରିକ୍ ବସ୍ତାରେ ବାଲି ଭର୍ତ୍ତି କରି ଚାପା ଦିଆଯାଉଛି। ଏହାଫଳରେ ପାହାଚ ତଳୁ ଆଉ ମାଟି ଖସିବ ନାହିଁ। ଏହି ଜିଓଫେବ୍ରିକ୍ ବ୍ୟାଗଗୁଡ଼ିକ ଦୀର୍ଘସ୍ଥାୟୀ। ୨୫ ବର୍ଷରୁ ଅଧିକ ଏହା ପାଣି ଭିତରେ ନଷ୍ଟ ନ ହୋଇ ରହିବ। ପୂର୍ବରୁ ମଧ୍ୟ ମାର୍କଣ୍ଡେୟ ପୁଷ୍କରିଣୀରେ ପାହାଚ ନିର୍ମାଣ କରାଯାଇଥିଲା। ହେଲେ ମାଟି ଖସି ଯିବା ଫଳରେ ଅନେକ ପାହାଚ ଖସି ପଡ଼ିଛି। ସେ ସବୁକୁ ମରାମତି କରାଯାଇଛି। ବାଲି ବସ୍ତା ପ୍ୟାକିଂ ଦିଆଯିବା ପରେ ପୁଷ୍କରିଣୀର ପାଚେରି ମରାମତି କରାଯାଇଛି। ତୀର୍ଥ ପୁଷ୍କରିଣୀ ଗୁଡ଼ିକରେ ଐତିହ୍ୟ ଓ କଳା, ସଂସ୍କୃତିର ଛାପ ଦିଆଯିବା ଲାଗି ଆମୂଳଚୂଳ ପରିବର୍ତ୍ତନ କରାଯାଉଛି। ପୁଷ୍କରିଣୀଗୁଡ଼ିକର କାନ୍ଥବାଡ଼ରେ କଳା ସଂସ୍କୃତିର ଖୋଦେଇ କାରୁକାର୍ୟ୍ୟ ଲଗାଯିବ । ପର୍ୟ୍ୟଟକ ଓ ଭକ୍ତ ମାନେ ଶ୍ରୀମନ୍ଦିର, ବେଳାଭୂମି ଓ ଐତିହ୍ୟ ପୁଷ୍କରିଣୀ ପରିଭ୍ରମଣ କରିବା ବେଳେ ଓଡ଼ିଶାର କଳା ସଂସ୍କୃତି ଓ ଭାସ୍କର୍ୟ୍ୟର ଯେପରି ଅନୁଭୂତି ସାଉଁଟିବ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏବେ ମୂର୍ତ୍ତି ନିର୍ମାଣ ଲାଗି ପଥର ଯୋଗାଡ଼ କରାଯାଉଛି । ଏସବୁ ପଥର ମିଳିବା କଷ୍ଟକର ହେଉଥିବାରୁ ମୂର୍ତ୍ତି ନିର୍ମାଣ କାର୍ୟ୍ୟ ସାମାନ୍ୟ ବିଳମ୍ବ ହୋଇଚି। ହେଲେ ପୁଷ୍କରିଣୀର ପୁନଉଦ୍ଧାର କାର୍ୟ୍ୟ ଶେଷ ହୋଇଛି । ଆଉ ମାଟି ନ ଖସିଲେ ପୁଷ୍କରିଣୀ ସହଜରେ ପୋଡି ହେବନାହିଁ କି ପାଚେରି ଭୁଷୁଡ଼ିବାର ଭୟ ରହିବ ନାହିଁ। ମାଟି ଅତଡ଼ାଖସିବା ଫଳରେ ବହୁ ସମୟରେ ପୁଷ୍କରିଣୀର ପାଚେରି ଭୁଷୁଡ଼ିଛି। କଂକ୍ରିଟିର ପାଚେରି ନିର୍ମାଣ କରାଯାଇଛି। ତଥାପି ମାଟି ଅତଡ଼ା ଯେପରି ନ ଖସିବ ସେଥିପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଚି।ଐତିହ୍ୟ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର ଲାଗି ୬୬.୬୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।