ଆମେରିକାରେ ମିଳିବ ‘ମୋଦୀଜୀ ଥାଳି’ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆଗରୁ ‘ମୋଦୀଜୀ ଥାଳି’ ଶୁଭାରମ୍ଭ କରିବ ଆମେରିକୀୟ ରେସ୍ତୋରାଁ
ନ୍ୟୁଜର୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ସବୁଠି ଚର୍ଚ୍ଚା । ଦେଶଠୁ ଆରମ୍ଭ କରି ବିଦେଶ ସବୁଠି ତାଙ୍କ ପ୍ରଶଂସକ । ଏହି ସମୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ (ଷ୍ଟେଟ୍ ଭିଜିଟ୍) ରେ ଯିବେ | ତାଙ୍କର ଜଣେ ପ୍ରଶଂସକ ଏହି ସମୟରେ ତାଙ୍କ ରେସ୍ତୋରାଁରେ ଏକ ବିଶେଷ ଥାଳି ପରସିବାକୁ ଯାଉଛନ୍ତି । ଯାହାର ନା ‘ମୋଦୀଜୀ ଥାଳି’।
‘ସେଫ୍’ ବା ରୋଷେୟା ଶ୍ରୀପଦ କୁଲକର୍ଣ୍ଣିଙ୍କ ଦ୍ବାରା ପ୍ରସ୍ତୁତ ‘ମୋଦୀଜୀ ଥାଳି’ ନାମକ ଏହି ଭୋଜନରେ ରହିଛି ଖିଚିଡ଼ି, ରସଗୋଲା, ସୋରିଷ ଶାଗ, କଶ୍ମୀରୀ ଆଳୁଦମ୍, ଘୋଳଦହି ଏବଂ ପାମ୍ପଡ଼ ଭଳି ଆହୁରି ଅନେକ ବ୍ୟଞ୍ଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ତାଙ୍କୁ ସମ୍ମାନ ଜଣାଇ ନ୍ୟୁଜର୍ସିସ୍ଥିତ ଏକ ରେସ୍ତୋରାଁ ବିଶେଷ ଭୋଜନ ଥାଳିର ଶୁଭାରମ୍ଭ କରିବ ବୋଲି ଏକ ଗଣମାଧ୍ୟମ ରିପୋର୍ଟ ପକ୍ଷରୁ ସୂଚନା ମିଳିଛି । ସେଫ୍ ଶ୍ରୀପଦ କୁଲକର୍ଣ୍ଣିଙ୍କ ଦ୍ୱାରା ପ୍ରସ୍ତୁତ ଏହି ‘ମୋଦୀଜୀ ଥାଳି’ । ଖୁବ୍ ଶୀଘ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ନାମାନୁସାରେ ଆଉ ଏକ ଭୋଜନ ଥାଳି ପରିବେଷଣ କରାଯିବ ବୋଲି ମଧ୍ୟ ରେସ୍ତୋରାଁ ମାଲିକ ଯୋଜନା କରୁଥିବା ଜଣାପଡ଼ିଛି।
କୁଲ୍କର୍ଣ୍ଣି କହିଛନ୍ତି, ଖୁବ୍ ଶୀଘ୍ର ଆମେ ‘ମୋଦୀଜୀ ଥାଳି’ର ଶୁଭାରମ୍ଭ କରିବୁ। ତାହା ଲୋକପ୍ରିୟ ହେବ ବୋଲି ମୋର ବିଶ୍ବାସ। ଏ ଥାଳିଟି ଭଲ ଚାଲିଲେ, ‘ଡକ୍ଟର୍ ଜୟଶଙ୍କର ଥାଳି’ର ଶୁଭାରମ୍ଭ କରିବା ପାଇଁ ଯୋଜନା କରିଛୁ। କାରଣ, ଆମେରିକୀୟ-ଭାରତୀୟଙ୍କ ମଧ୍ୟରେ ସେ ମଧ୍ୟ ପ୍ରିୟଭାଜନ ହୋଇପାରିଛନ୍ତି।
ଏହାଛଡ଼ା, ଏହି ଥାଳି ହେଉଛି, ଜାତିସଂଘ ଘୋଷଣା କରିଥିବା ‘ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ’ ପ୍ରତି ଶ୍ରଦ୍ଧାଞ୍ଜଳି ମଧ୍ୟ। ଏଥିରେ କୁଲ୍କର୍ଣ୍ଣି ମାଣ୍ଡିଆ ବ୍ୟବହାର କରିଛନ୍ତି। ୨୦୧୯ରେ ଭାରତ ସରକାରଙ୍କ ସୁପାରିସକ୍ରମେ ଜାତିସଂଘ ୨୦୨୩କୁ ‘ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ’ ବୋଲି ଘୋଷଣା କରିଛି।