ଆରଟିଆଇର ଏକ ରିପୋର୍ଟ ବଡ଼ ଖୁଲାସା କରିଛି । ରେଳରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତୀଙ୍କ ସଂଖ୍ୟା ବଢ଼ିବାରେ ଳାଗିଛି । ବିନା ଟିକେଟରେ ରେଳଯାତ୍ରା କରିବା ଆଇନଗତ ଅପରାଧ ଜାଣି ମଧ୍ୟ ପ୍ରତିଦିନ ଅନେକ ଯାତ୍ରୀ ବିନା ଟିକେଟରେ ଯାତ୍ରା କରିଥାଆନ୍ତି ।
ମଧ୍ୟପ୍ରଦେଶର ସମାଜସେବୀ ଚନ୍ଦ୍ରଶେଖର ଗୌଡ଼ ଆରଟିଆଇରେ ଏକ ରିପୋର୍ଟ ମାଗିଥିଲେ । ରିପୋର୍ଟରେ ପ୍ରକାଶ ପାଇଛି କି, ୨୦୧୯-୨୦ ମସିହାରେ ୧ କୋଟି ୧୦ ଲକ୍ଷ ଲୋକ ବିନା ଟିକେଟରେ ଯାତ୍ରା କରିଥିବାବେଳେ ୨୦୨୧-୨୨ ରେ ଏହି ସଂଖ୍ୟା ବୃଦ୍ଧି ପାଇଥିଲା । ୨.୭ କୋଟି ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥିବାବେଳେ ଧରା ପଡ଼ିଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ୨୦୨୨-୨୩ରେ ୩.୬ କୋଟି ଯାତ୍ରୀ ଧରାପଡ଼ିଛନ୍ତି । ବର୍ଷକୁ ବର୍ଷ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବଢ଼ୁଥିବାବେଳେ ରେଲୱେର ଜରିମାନା ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି । ରେଳବାଇ ପକ୍ଷରୁ କଡ଼ା ନିୟମମାନ ଜାରି କରିଥିଲେ ସୁଦ୍ଧା କିଛି ଫରକ ପଡ଼ୁନଥିବା କୁହାଯାଉଛି । ଅନ୍ୟପଟେ କଡ଼ାକଡ଼ି ଚେକିଂ ପାଇଁ ମଧ୍ୟ କୋଟି କୋଟି ଟଙ୍କାର ଫାଇନ ଆଦାୟ ହେଉଛି । ଆରଟିଆଇ ରିପୋର୍ଟ ମୁତାବକ ୨୦୨୨-୨୩ ମସିହାରେ ଭୁଲ ଟିକେଟ ଏବଂ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।