ବାହାନଗା ଟ୍ରେନ୍ ଟ୍ରାଜେଡି: ଶୁକ୍ରବାରର ସେହି ରାତି ଅନେକଙ୍କ ପାଇଁ ଥିଲା ଶେଷ ରାତି

ବାଲେଶ୍ବର: ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣା ଶତାବ୍ଦୀର ଏପରି ଏକ ବଡ଼ ରେଳ ବିପର୍ଯ୍ୟୟ ଥିଲା ଯେଉଁଥିରେ ଚାଲିଯାଇଥିଲା ୨୮୮ଜଣଙ୍କ ଜୀବନ ଏବଂ ୧୧୭୫ ଜଣରୁ ଅଧିକ ଆହତ ହୋଇଥିଲେ । ଜୀବନର ଆଦ୍ୟ ପାହାଚରେ ପାଦ ଥାପିଥିବା ସ୍ବପ୍ନବିଳାସୀ କୁନି କୁନି ପିଲାମାନେ ଅବେଳରେ ଶୋଇଗଲେ ସବୁଦିନ ପାଇଁ। ଆପଣାର ସନ୍ତାନଙ୍କୁ ସାହା ହେବାର ବିଶ୍ବାସ ଦେଇଥିବା ବାପାମାଆ ଛାନି ଚାଲିଗଲେ ନିଜ ସନ୍ତାନଙ୍କୁ । ଜନ୍ମଦାତାଙ୍କ ଋଣ ଶୁଝିବାକୁ ପଣ କରିଥିବା ପୁଅଝିଅମାନେ ଶବ ହୋଇଗଲେ। ସାତଜନ୍ମ ସାଙ୍ଗରେ ରହିବାର ପ୍ରତିଶ୍ରୁତି ଦେଇଥିବା ସ୍ବାମୀ ସ୍ତ୍ରୀକୁ ପର କରି ଆରପାରିକୁ ଚାଲିଗଲା। ବିପଦଆପଦରେ ସାହା ହେବ ବୋଲି କହୁଥିବା ଭାଇ ତାର ଭଉଣୀକୁ ଭଣ୍ଡେଇ ଦେଲା। ..ଏମିତି ଅନେକ ସଂପର୍କ ସେଦିନ ଦୁର୍ଘଟଣାରେ ଟ୍ରେନ୍ ଡବା ସହ ଭାଙ୍ଗିରୁଜି ଚୂରମାର ହୋଇଗଲା। ଚିହ୍ନଟ ପରେ ଶବ ସବୁ ଜୁଇରେ ସିନା ଜଳିଯାଇଛି, ହେଲେ ମୃତକଙ୍କର ସ୍ବପ୍ନ ଓ ଆଶାସିକ୍ତ ଆତ୍ମା ସବୁ ସେମାନେ ଛାଡ଼ିଯାଇଥିବା ସନ୍ତକ ଭିତରେ ଏବେ ବି ଯେମିତି ରେଳଧାରଣା କଡ଼ରେ ପଡ଼ି ଛଟପଟ ହେଉଛନ୍ତି। କାଥାବାର୍ତ୍ତା ବେଳେ ଛଳଛଳ ଆଖିରେ ଏମିତି ଭାବପୂର୍ଣ୍ଣ କେଇଟା ବାକ୍ୟ କହିଥିଲେ ବାହାନଗା ବଜାରର ସ୍ଥାନୀୟ ବାସିନ୍ଦା । ଯାହାଙ୍କର ମର୍ମଭେଦୀ କଥା ମନକୁ ସନ୍ତୁଳି ପକାଇଥିଲା।

ସମୟ ୨ ତାରିଖ ସଂଧ୍ୟା ୭ଟା ପାଖାପାଖି। ମାଡ଼ିଆସିଥିଲା କାଳରୂପୀ କରମଣ୍ଡଳ ଏକ୍ସପ୍ରେସ୍। ନିମିଷକ ମଧ୍ୟରେ ଘଟିଗଲା ଅଘଟଣ। ଆଖିପିଛୁଳାକେ ସବୁ କିଛି ଛାରଖାର ହୋଇଯାଇଥିଲା । ଅନେକ ନିଷ୍ପାପ ଶିଶୁଙ୍କର ଜୀବନ ଯାଇଛି। ଆଶାର ଗଣ୍ଠୁଲି ଧରି ଯାତ୍ରା କରୁଥିବା ଶହ ଶହ ଲୋକ ପ୍ରାଣ ହରାଇଥିଲେ । ଅନେକଙ୍କ ଶବ ଜୁଇରେ ଜଳିସାରିଲାଣି। ହେଲେ ସେମାନଙ୍କର ସ୍ବପ୍ନ ଓ ଆଶାସିକ୍ତ ଆତ୍ମା ସବୁ ଏବେ ବି ଯେମିତି ରେଳଧାରଣା କଡ଼ରେ ପଡ଼ି ଛଟପଟ ହେଉଛନ୍ତି । ତେବେ ଏହାରି ଭିତରେ ଦୁର୍ଘଟଣାସ୍ଥଳରେ ମିଳିଥିବା ମୃତକଙ୍କ ଜିନିଷପତ୍ର ରେଳବାଇ ପୋଲିସ୍ ପାଖରେ ଜମା ରହିଛି । କେହି ଦାବିଦାର ଆସିଲେ ପ୍ରମାଣ ଦେଖାଇ ମୃତକଙ୍କ ଜିନିଷପତ୍ର ନେଇପାରିବେ ବୋଲି କହିଛନ୍ତି ସର୍ଚ୍ଚ ଅପରେସନ୍ରେ ସାମିଲ ଥିବା ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣା।