ଅର୍ଥମନ୍ତ୍ରୀଙ୍କ ଟ୍ୱିଟ ପରେ ପେନସନ ଯୋଗେଇବାକୁ ପ୍ରତିଶ୍ରୁତି ଦେଲା SBI

ନିକଟରେ ପେନସନ ଆଣିବା ପାଇଁ ଭଙ୍ଗା ଗୋଡ଼ରେ ପ୍ଲାଷ୍ଟିକ ଚେୟାର ସାହାଯ୍ୟରେ ଚାଲି ଚାଲି ପେନସନ ପାଇଁ ଯାଉଥିବା ୭୦ ବର୍ଷୀୟ ବୃଦ୍ଧା ଙ୍କ ଭିଡିଓ ଭାଇରାଲ ହେବା ପରେ ଏସବିଆଇକୁ ତାଗିଦ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନବରଙ୍ଗପୁର ଝରିଗାଁର ବୃଦ୍ଧାଙ୍କ ଭିଡିଓକୁ ସେୟାର କରି ନିର୍ମଳା ସୀତାରମଣ ଷ୍ଟେଟ ବ୍ୟାଙ୍କ କୁ ମାନବିକତା ଦୃଷ୍ଟିରୁ ଏହି ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି । ସେଠାରେ କୌଣସି ବ୍ୟାଙ୍କ ମିତ୍ର ନାହାନ୍ତି କି ? ବୋଲି ଟ୍ୱିଟରରେ ପ୍ରଶ୍ନ କରିଛନ୍ତି । ନବରଙ୍ଗପୁର ଝରିଗାଁ ବ୍ଲକ ବଣୁଆଗୁଡାର ସୂର୍ୟ୍ୟ ହରିଜନ ପେନସନ ଟଙ୍କା ପାଇଁ ପ୍ଲାଷ୍ଟିକ ଚେୟାରରେ ଏପରି ଯାଉଥିବାର ଦେଖିବାକୁ ମିଳିଥିଲା ।

ନିର୍ମଳା ସୀତାରମଣଙ୍କ ଟ୍ୱିଟ ପରେ ତତ୍ପର ହୋଇଉଠିଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଉତର ରଖି ଏସବିଆଇ କହିଛି ଝରିଗାଁରେ ଥିବା ସିଏସପି ପଏଣ୍ଟରୁ ପେନସନ ଟଙ୍କା ଉଠାଉଥିଲେ । କିନ୍ତୁ ସିଏସପି ପଂଏଟରେ ତାଙ୍କ ଫିଙ୍ଗର ପ୍ରିଣ୍ଟ ମ୍ୟାଚ ନକରିବାରୁ ଝରିଗାଁ ବ୍ରାଞ୍ଚକୁ ତାଙ୍କ ସମ୍ପର୍କୀୟଙ୍କ ସହ ଆସିଥିଲେ । ଏହାପରେ ତାଙ୍କୁ ତୁରନ୍ତ ପେନସନ ଟଙ୍କା ଦେଇ ଦିଆଯାଇଥିଲା । ତେବେ ଆସନ୍ତା ମାସଠାରୁ ତାଙ୍କ ଘରେ ପେନସନ ଟଙ୍କା ଦେଇ ଆସିବାକୁ ପ୍ରତିଶ୍ରୁତି ଦେଇଛି ଏସବିଆଇ । ଏହା ସହ ତାଙ୍କୁ ଏକ ହ୍ୱିଲ ଚେୟାର ଯୋଗାଇ ଦେବାକୁ ମଧ୍ୟ ଷ୍ଟେଟ ବ୍ୟାଙ୍କ ପ୍ରତିଶ୍ରୁତି ଦେଇଛି । ତେବେ ଫିଙ୍ଗର ପ୍ରିଣ୍ଟ ମିଶୁ ନଥିବାରୁ ବୃଦ୍ଧାଙ୍କୁ ମିଳୁନଥିଲା ପେନଶନ । ହେଲେ ଏବେ ଫିଙ୍ଗର ପ୍ରିଣ୍ଟ ନମିଶିଲେ ବି ପେନସନ ପାଇବେ ।