ଭିଜିଲାନ୍ସ ପଞ୍ଝାରେ ବେଗୁନିଆ ତହସିଲଦାର

ଖୋର୍ଦ୍ଧା : ଲାଞ୍ଚ ନେବାବେଳେ ରାଜ୍ୟ ଭିଜିଲାନ୍ସ ହାତରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ନଗଦ ୪୫ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ତାଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର କଳିଙ୍ଗ ବିହାରସ୍ଥିତ ନିଜ ବାସଭବନ ଆଗରେ ବେଗୁନିଆ ତହସିଲଦାର ତଥା ସବରେଜିଷ୍ଟ୍ରାର ଶ୍ରୀ ମଣ୍ଡଳ ୪୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ତାଙ୍କଠୁ ସମ୍ପୂର୍ଣ୍ଣ ଲାଂଚ ଟଙ୍କା ଜବତ କରାଯାଇଛି । କେମିକାଲରେ ତାଙ୍କ ହାତ ଧୂଆ ଯାଇ ସେ ଲାଞ୍ଚ ଟଙ୍କା ଧରିଥିବାର ପ୍ରମାଣ ମିଳିଛି । ଜଣେ ଅଭିଯୋଗକାରୀଙ୍କ ସୂଚନା ଆଧାରରେ ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇ ସଫଳ ହୋଇଛି । ଶ୍ରୀ ମଣ୍ଡଳଙ୍କ ନିଜ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି । ପୂର୍ବରୁ ପୁରି ଜିଲ୍ଲା ଗୋପ୍ , ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ , ଚିଲିକା ବ୍ଲକରେ ତହସିଲଦାର ରୂପେ କାର୍ୟ୍ୟ କରିବା ସହ ବାଲୁଗାଁ ଏନ.ଏ.ସି ର କାର୍ୟ୍ୟ ନିର୍ବାହୀ ଅଧିକାରୀ ରୂପେ କାର୍ୟ୍ୟ କରିଆସୁଥିଲେ ପୃଥ୍ଵୀରାଜ ମଣ୍ଡଳ।