ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ

ବରୀ/ ସତ୍ୟଜିତ ବାରିକ  : ଓଡିଶା ଜୀବିକା ମିଶନ ବରୀ ଓ ଓରମାସ ଯାଜପୁରର ମିଳିତ ସହଯୋଗରେ ବ୍ଲକସ୍ତରୀୟ ନିଯୁକ୍ତି ମେଳା ବରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବରୀ ପଞ୍ଚାୟତ ସମିତିର ଅଧକ୍ଷ ଅଶୋକ କୁମାର ଗେଡି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରୀ ବିଡ଼ିଓ ଚିନ୍ମୟ କୁମାର ଦାସ, ଏବିଡିଓ ମହେଶ୍ୱର ସେଠୀ, ଉପାଧ୍ୟକ୍ଷ ଅର୍ଚ୍ଚନା ମଲ୍ଲିକ, ଭାରପ୍ରାପ୍ତ ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଲକ୍ଷ୍ମୀକାନ୍ତ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବେକାର ଯୁବକ ଯୁବତୀ ମାନେ ସରକାରଙ୍କ ପକ୍ଷରୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ମାଗଣାରେ ରହିବା, ଖାଇବା ଓ ବିଭିନ୍ନ ଟ୍ରେଡ଼ରେ ଶିକ୍ଷା ଦିଆଯାଇ ସେମାନଙ୍କୁ ଦକ୍ଷ କରାଯାଉଛି।

ବେକାର ଯୁବକ ଯୁବତୀ ମାନେ ସମୟ ନଷ୍ଟ ନକରି ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅଧୀନରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆତ୍ମନିର୍ଭରଶୀଳତା ନିମନ୍ତେ ଶିକ୍ଷା ନେଇ ନିଜ ଗୋଡ଼ରେ ନିଜେ ଠିଆ ହେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଏହି ବ୍ଲକସ୍ଥରୀୟ ନିଯୁକ୍ତି ମେଳାରେ ୫୨୦ ଜଣ ଯୁବକ ଯୁବତୀ ଯୋଗ ଦେଇ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭୦ ଜଣଙ୍କୁ ଏଡୁଜବ୍ସ, ଏଏସଡି, ଇଣ୍ଡିଟକ୍ସ ଓ ନିୟମ ଆଦି ପ୍ରଶିକ୍ଷଣ ସଂସ୍ଥାମାନେ ନିଜ ସହ ଅନୁବନ୍ଧିତ କରିଥିଲେ l ଡ଼ିଡ଼ିୟୁଜିକେୱାଇ ମାଧ୍ୟରେ ସଫଳତା ପାଇ ଆତ୍ମନିର୍ଭରଶୀଳ ହୋଇଥିବା ଯୁବକ ଯୁବତୀଙ୍କ ପିତା ମାତା ଯଥାକ୍ରମେ ବରୀ ବ୍ଲକ ଅନ୍ତର୍ଗତ ରତ୍ନଗିରି, ଅମଠପୁର ଓ ମନ୍ଦାରୀ ପଂଚାୟତର ବାସନ୍ତୀ ଶାନ୍ତି, ଅମୁଲ୍ୟ ମଲିକ ଓ ତୁଳସୀ ମଲିକ ପ୍ରମୁଖଙ୍କୁ ଅତିଥି ମାନେ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।