ସ୍କୁଲ ହତାକୁ ସାମ୍ବାଦିକଙ୍କ ପ୍ରବେଶ ବାରଣ ପ୍ରସଙ୍ଗ

ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ହେଉ: ଅପରାଜିତା

ଭୁବନେଶ୍ୱର: ସରକାରୀ ସ୍କୁଲ ହତାକୁ ବିନା ଅନୁମତିରେ ସାମ୍ବାଦିକମାନେ ପ୍ରବେଶ କରିପାରିବେ ନାହିଁ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ତେବେ ସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମକୁ ଛାଡିଦେଲେ ଅନେକ ୱ୍ୱେବ ଚ୍ୟାନେଲର ସାମ୍ବାଦିକମାନେ ଅନାବଶ୍ୟକ ଭାବେ ସ୍କୁଲ ହତାରେ ପଶି ପିଲାଙ୍କ ପାଠପଢାରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ଏହାକୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି। ସ୍କୁଲ କ୍ୟାମ୍ପସକୁ ଚତୁର୍ଥ ସ୍ତମ୍ଭକୁ ବାରଣ କରାଯିବା ଅନୁଚିତ। କିଛି ନୀତିନିୟମକୁ ଛାଡିଦେଲେ ଗଣମାଧ୍ୟମକୁ ବାରଣ କରାଯିବା କଥା ନୁହେଁ। ଗଣତାନ୍ତ୍ରିକ ରାଷ୍ଟ୍ରରେ ବିଦ୍ୟାଳୟ ଗୋଟିଏ ସାର୍ବଜନୀନ ଅନୁଷ୍ଠାନ। ସ୍କୁଲରେ ପାଠ ପଢାଯିବାବେଳେ କେହି ବିଭ୍ରାଟ କରିବା ଆବଶ୍ୟକ ନୁହେଁ। ଭଲମନ୍ଦ ବୁଝିବାକୁ ଚତୁର୍ଥ ସ୍ତମ୍ଭକୁ ବାରଣ ଉଚିତ ନୁହେଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସରକାର ତୁରନ୍ତ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବା ଆବଶ୍ୟକ। ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପଶିବାକୁ ନଦେବା ଏକ ହାସ୍ୟାସ୍ପଦ ଘଟଣା। ଶିକ୍ଷାନୁଷ୍ଠାନରେ କଣ ହେଉଛି କଣ ନାହିଁ ଯଦି ଭୁଲ ହେଉଛି, ସେତେବେଳେ ସାମ୍ବାଦିକ ବନ୍ଧୁମାନଙ୍କର କର୍ତ୍ତବ୍ୟ ହେଉଛି ଏହାକୁ ଲୋକଲୋଚନକୁ ଆଣିବା। ମୁଁ ଶିକ୍ଷା ସଚିବ ଥିବାବେଳେ ସ୍କୁଲ ଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ କରାଯାଇଥିଲା। ସରକାର ଏହି ନିର୍ଦ୍ଦେଶନାମା ଜାରି କରି ଗଣତାନ୍ତ୍ରିକ ପଦ୍ଧତ୍ତିରେ ସାମ୍ବାଦିକଙ୍କ ଅଧିକାର କ୍ଷୁର୍ଣ୍ଣ କରୁଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି। ସେହିପରି ଦୁର୍ନୀତିକୁ ଚାପିବା ପାଇଁ ଗଣମାଧ୍ୟମ ଉପରେ ସରକାର ଏପରି ପଦକ୍ଷେପ ନେଉଛନ୍ତି। ସାମ୍ବାଦିକଙ୍କ ଉପରେ ଏପରି ରୋକ ଲଗାଯିବା କଥା ନୁହେଁ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।