ମୌସୁମୀ ଆରମ୍ଭରୁ ଜଳ ଯନ୍ତ୍ରଣା

ପ୍ରହସନ ପାଲଟିଛି ବିଏମସିର ଜଳନିଷ୍କାସନ ଯୋଜନା

ଭୁବନେଶ୍ୱର: ମୌସୁମୀ ଆରମ୍ଭରୁ ରାଜଧାନୀରେ ଜଳ ଯନ୍ତ୍ରଣା। ବୁଧବାର ରାଜଧାନୀରେ ଅସରାଏ ବର୍ଷା ଫଳରେ ମୁଖରାସ୍ତା ଗୁଡିକ ଜଳାର୍ଣ୍ଣବ ହୋଇପଡିଥିଲା। ଗତକାଲି ସନ୍ଧ୍ୟା ୫ଟା ସୁଦ୍ଧା ଭୁବନେଶ୍ୱରେ ମାତ୍ର ୮ ମିଲିମିଟର ବର୍ଷା ହୋଇଛି। ଅସରାଏ ବର୍ଷାରେ ବୋହାଲ ହୋଇପଡୁଥିବା ଇସ୍କନ ମନ୍ଦିର ସାମ୍ନାରେ ମଧ୍ୟ ଜଲାର୍ଣ୍ଣବ ହୋଇପଡିଥିଲା। ଫଳରେ ରାସ୍ତାରେ ଛିଡା ହୋଇଥିବା କାର ବାଇକ ଗୁଡିକ ଭାସିବା ଆରମ୍ଭ କରିଥିଲା। ମୌସୁମୀ ପ୍ରାରମ୍ଭରୁ ଏମିତି ଝଲକ ଦେଖାଦେଇଥିବାରୁ ଆଗକୁ ସ୍ଥିତି ସଙ୍ଗୀନ ହେବ ବୋଲି ଜଣାପଡିଛି। ସେପଟେ ରାଜଧାନୀରେ ହୋଇଥିବା ଜଳାର୍ଣ୍ଣବ ସ୍ଥିତି ଦେଖିବା ପରେ ବିଏମସିର ପମ୍ପସେଟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ଷା ସମୟରେ ବିଏମସି ପକ୍ଷରୁ ପମ୍ପ ସେଟ୍ ମାଧ୍ୟମରେ ବର୍ଷାଜଳ ନିଷ୍କାସନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ରାଜଧାନୀର ପ୍ରମୁଖ ସହର ଜୟଦେବ ବିହାର, ନୂଆପଲ୍ଲୀ, ସିଆରପି, ରସୁଲଗଡ ପ୍ରମୁଖ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ବର୍ଷାଦିନ ଆସିଲେ ରାଜଧାନୀବାସୀଙ୍କ ଚିନ୍ତା ବଢିଯାଏ। କାରଣ ସହରରେ ଡ୍ରେନେଜ ସମସ୍ୟା ରହିଥିବାରୁ ôପ୍ରମୁଖ ସ୍ଥାନ ଗୁଡିକରେ ବର୍ଷା ଜଳ ଲହଡି ମାରିଥାଏ। ଏଥି ସହିତ ଲୋକଙ୍କ ଘର ଭିତରକୁ ପାଣି ପଶିଯାଇଥିାଏ। ଏଥିପାଇଁ ଲୋକମାନେ ନାନା ପ୍ରକାର ଯନ୍ତ୍ରଣା ଭୋଗିଥାନ୍ତି। ଅନ୍ୟପକ୍ଷରେ ନବ ନିଯୁକ୍ତ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସହରର ପ୍ରମୁଖ ଡ୍ରେନ୍ ଗୁଡିକର ସ୍ଥିତିର ସମୀକ୍ଷା କରିଛନ୍ତି। ନୟାପଲ୍ଲୀ, ଝାଡପଡା ଓ ସତ୍ୟନଗର ଭଳି ପ୍ରମୁଖ ସ୍ଥାନକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ଏନେଇ ମଧ୍ୟ ବିଏମସି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।