ରାଷ୍ଟ୍ରପତି ନିର୍ବାଚନ ୨୦୨୨

ଆଜି ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲାଗି ଦେଶରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଲିଛି। ତେବେ ଏନେଇ ବିଜେପିର ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ। ଅନୁଷ୍ଠିତ ବୈଠକରେ ଏନଡିଏ ତଥା ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବ ବୋଲି ଜଣାପଡିଛି। ଅନୁଷ୍ଠିତ ବୈଠକରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ ପ୍ରମୁଖ ଯୋଗଦେବେ। ଏହାଛଡା ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ଗସ୍ତରେ ଥିବାରୁ ଭର୍ଚୁଆଲ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଦଳ ପକ୍ଷରୁ ନିର୍ବାଚନକୁ ତଦାରଖ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ରକ ସିଂ ଶେଖାୱାତ ୧୪ ଜଣିଆ ପରିଚାଳନା କମିଟି ଗଠନ କରାଯାଇଛି। ଏଥି ପୂର୍ବରୁ ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏକ ବୈଠକ ଡାକିଥିଲେ। ବୈଠକରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ, ଅଶ୍ୱିନୀ ବୈଷ୍ଣବ, ଜି କିଶାନ ରେଡ୍ଡୀ, ଅର୍ଜୁନ ରାମ ମେଘୱାଲ, ବିନୋଦ ତାୱଡେ, ସିଟି ରବି, ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ରାଷ୍ଟ୍ରପତି ନିର୍ବାଚନ ଲାଗି ସମସ୍ତ ରାଜ୍ୟର ରାଜନୈତିକ ଦଳଙ୍କ ସହ ଆଲୋଚନା ଲାଗି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ଏନସିପି ସୁପ୍ରିମୋ ଶରଦ ପାୱାର ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିଜେଡି ସୁପ୍ରିମୋ ତଥା ଓଡି଼ଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏନଡିଏ ପକ୍ଷରୁ ଆଲୋଚନା କରାଯାଇଛି। ତେବେ ରାଷ୍ଟ୍ରପତି ନିର୍ବାଚନ ଲାଗି ନାମାଙ୍କନ ଦାଖଲର ଶେଷ ତାରିଖ ୨୯ ଜୁନ୍ ରହିଥିବାବେଳେ ଭୋଟ ଗ୍ରହଣ ୧୮ ଜୁଲାଇରେ ଅନୁଷ୍ଠିତ ହେବ। ଜୁଲାଇ ୨୧ରେ ଭୋଟ ଗଣତି ହେବ ବୋଲି ଜଣାପଡିଛି। ତେବେ ଟିଏମସି ନେତ୍ରୀ ମମତା ବାନାର୍ଜୀ ଜୁନ୍ ୧୫ରେ ଡାକିଥିବା ମିଳିତ ବୈଠକରେ ୧୭ଟି ରାଜନୈତିକ ଦଳ ଯୋଗଦେଇଥିଲେ। ତେବେ ବିଜେଡି, ୱାଇଏସଆର କଂଗ୍ରେସ ଓ ଟିଆରଏସ୍ ଯୋଗଦେଇନଥିଲେ।