କରଣ ଜୋହରଙ୍କୁ ହତ୍ୟା ଷଡଯନ୍ତ୍ର

ମୁମ୍ବାଇ: ବଲିଉଡର ଫେମସ ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ହତ୍ୟା ଷଡଯନ୍ତ୍ର। ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ କରଣ ଜୋହର ମଧ୍ୟ ଥିଲେ। ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ କରଣ ଜୋହରଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା। ପୁଲିସର ପଚରାଉଚରା ବେଳେ ସିଦ୍ଧୁ ମୁସେୱାଲା ମାମଲାରେ ଧରାପଡିଥିବା ଅଭିଯୁକ୍ତ ସୌରଭ କାମ୍ବଲେ ଓରଫ ମହାକାଳ ଏନେଇ ଖୁଲାସା କରିଛି।ବଲିଉଡ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ମିଳିଥିବା ଧମକ ଏବେବି ରହସ୍ୟରେ ଥିବାବେଳେ ଏହି ମାମଲାରେ ପୁଲିସ ଅନୁସନ୍ଧାନ ଜାରି ରଖିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଷ୍ଣୋଇ ଗ୍ୟାଙ୍ଗର ଲିଷ୍ଟରେ କରଣ ଜୋହରଙ୍କ ନାଁ ମଧ୍ୟ ଅଛି। ସଲମାନ ଖାନଙ୍କୁ ଧମକ ମାମଲାରେ ପୁଣେ ପୁଲିସର ପଚରାଉଚରା ବେଳେ ସୌରଭ କହିଛି ଯେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପାଇଁ ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ହିଁ ଦାୟୀ। ସେଥିପାଇଁ ଆମେ କରଣ ଜୋହରଙ୍କୁ ଧମକ ଦେଇ ୫କୋଟି ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲୁ। ଯଦି ସେ ଟଙ୍କା ଦେଇନଥାନ୍ତେ ତେବେ ତାଙ୍କୁ ହତ୍ୟା କରିଥାନ୍ତୁ ବୋଲି ସେ ଖୁଲାସା କରିଛି।