ମିଶନ ରାହୁଲ : ଭିଏଲସି ଯନ୍ତ୍ରର କଣ ରହିଛି କାମ ?

ଛତିଶଗଡ଼: ବୋରଓ୍ବେଲ ଭିତରେ ଫସି ରହିଛି ୧୧ ବର୍ଷୀୟ ରାହୁଲ । ୮୦ ଫୁଟ ତଳେ ରହିଛି ଏହି ବାଳକ । ରାହୁଲକୁ ଉଦ୍ଧାର କରିବା ପାଇଁ ଚାଲିଛି ଜୋରଦାର କସରତ । ଘଟଣାସ୍ଥଳରେ ରେସକ୍ୟୁ ଅପରେସନର ତଦାରଖ କରୁଛନ୍ତି ନିଜେ ଜିଲ୍ଲାପାଳ । ରାହୁଲର ଗତିପଥକୁ ଲଗାତାର କରାଯାଉଛି ମନିଟରିଂ । ଏବେ ରାହୁଲ ଆଡକୁ ମୁହାଉଁଛନ୍ତି ଏନଡିଆରଏଫ ଟିମ୍ । ସେପଟେ ଭିଏଲସି ଯନ୍ତ୍ର ଦ୍ବାରା ରାହୁଲର ଅବସ୍ଥା ତଦାରଖ କରିବା ସହିତ ତାକୁ ଯଥା ଶୀଘ୍ର ବରଓ୍ବେଲରୁ ବାହାର କରିବାକୁ ଚେଷ୍ଟା ଜାରି ରଖିଛି ଏନଡିଆରଏଫ ଟିମ୍। ଏହି ଭିଏଲସି ଯନ୍ତ୍ରରେ ରାହୁଲର ସମସ୍ତ କାର୍ଯ୍ୟକଳାପକୁ ଅନୁମାନ କରାଯାଉଛି ।

ଭିଏଲସି ହେଉଛି ଏକ ଭିକ୍ଟିମ ଲୋକେସନ କ୍ୟାମେରା । ଯେତେବେଳ କୌଣସି ଲୋକକୁ ଉଦ୍ଧାର କରିବା ପାଇଁ ଅପରେସନ ଚାଲିଥାଏ, ସେସମୟରେ ଏହା ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଦେଇଥାଏ । ଏହି କ୍ୟାମେରା ମାଧ୍ୟମରେ ସଂପୃକ୍ତ ବ୍ୟକ୍ତିର ପୋଜିସନ ଓ ଅବସ୍ଥା ଜାଣି ହୋଇଥାଏ । ଏହା ସହ ତାର ଶବ୍ଦ ନିଶ୍ୱାସ ପ୍ରଶ୍ଵାସ ଶୁଭ ଯାଇଥାଏ । ଏହି ଯନ୍ତ୍ର ୧୪.୪ ଭୋଲ୍ଟ ବ୍ୟାଟେରୀ ଦ୍ବାରା ଚାଲିଥାଏ । ଏହାର ଆଗପଟରେ ୪.୭ ମେଗାପିକ୍ସଲ କ୍ୟାମେରା ଲାଗିଥାଏ ଯାହା ଦ୍ବାରା ୧୬ ସେଣ୍ଟିମିଟରରୁ ୬ ମିଟର ପର୍ଯ୍ୟନ୍ତ ଦୂରରେ ଥିବା ଜିନିଷକୁ ଦେଖି ହୋଇଥାଏ । ଶବ୍ଦ ଅନୁସରଣ କରିବା ପାଇଁ ଯନ୍ତ୍ରରେ ମାଇକ୍ରୋଫୋନର ସୁବିଧା ରହିଛି, ଯାହା ସାହାଯ୍ୟରେ ଦୂରରୁ ହିଁ ଫସିଥିବା ବ୍ୟକ୍ତି ସହିତ କଥା ହୋଇହୁଏ ।