ରାସ୍ତାରୁ ହଟିବ ପୁରୁଣା ଡିଜେଲ୍ ବସ୍

ଇଲେକ୍ଟ୍ରିକ୍ ଯାନ ଉପରେ ପରିବହନ ମନ୍ତ୍ରଣାଳୟର ଗୁରୁତ୍ୱାରୋପ

ନୂଆଦିଲ୍ଲୀ: ୧୦ ବର୍ଷ ତଥା ତା ଠାରୁ ଅଧିକ ପୁରୁଣା ଡିଜେଲ ବସକୁ ରାସ୍ତାରୁ ହଟାଇବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଆନୁମାନିକ ୩୨ ହଜାର ପୁରୁଣା ଡିଜେଲ ବସ୍କୁ ହଟାଇ ସେହି ସ୍ଥାନରେ ବିଦ୍ୟୁତ୍ ଚାଳିତ ଯାନ ଉପରେ ଗୁରୁତ୍ୱ ଦିଆଯାଇଛି । ପରିବହନ ମନ୍ତ୍ରଣାଳୟର ଆକଳନ ଅନୁସାରେ ୨୫ଟି ରାଜ୍ୟର ପରିବହନ ସଂସ୍ଥା ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ୩୨. ୦୬୨ଟି ବସ୍ ରହିଛି । ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁସାରେ ରାସ୍ତାରେ ଚାଲିଥିବା ୧୫ ବର୍ଷରୁ ଊର୍ଦ୍ଧ ଗାଡିକୁ ବ୍ୟବହାର ଅନୁପଯୋଗୀ କରି ଦିଆଯିବ । ତେବେ ବିଏସ୍ -୨ ଓ ବିଏସ୍ -୩ ଡିଜେଲ ଚାଲିତ ବସ୍ ଗୁଡିକୁ ଚଲାଇବା ବ୍ୟୟ ବହୁଳ ହୋଇ ପଡିଛି । ଏଥି ସହିତ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ସାଜୁଥିବା ଜଣାପଡିଛି । ନୀତି ଆୟୋଗ ପକ୍ଷରୁ ଏକକ ପ୍ରକ୍ୟୁରମେଣ୍ଟ୍ ପୋର୍ଟାଲ ପ୍ରସ୍ତୁତ କରି ସେଥିରେ ସମସ୍ତ ଅଂଶୀଦାରଙ୍କୁ ଯୋଡିଛି । ସମ୍ପୃକ୍ତ ପୋର୍ଟାଲ ଜରିଆରେ ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ହାଇଦ୍ରାବାଦ ଓ ସୁରଟ ଭଳି ପ୍ରମୁଖ ସହର ୫,୪୫୦ଟି ଇଲେକ୍ଟ୍ରିକ୍ ବସ୍ ମଗାଇଛନ୍ତି । ଫଳରେ ପ୍ରଦୂଷଣର ମାତ୍ରା କମିବା ସହ ଯାତ୍ରୀଙ୍କ ଭଡା ମଧ୍ୟ କମିଯିବ । ଫଳରେ ବସ୍ ମାଲିକମାନେ ଦୁଇ ପଇସା ରୋଜଗାର କରି ପାରିବେ ବୋଲି ଆଶା କରାଯାଇଛି ।